ନୂଆଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ସୌମ୍ୟରଂଜନ

ସମ୍ବଲପୁର: ନିଷ୍ଠା ଓ ଇଚ୍ଛା ଶକ୍ତି ରହିଲେ ସଫଳତା ମିଳିଥାଏ, ଏଭଳି ସଫଳତା ଦେଖାଇବାରେ ସୌମ୍ୟରଞ୍ଜନ ବଡପଣ୍ଡା ରହିଛନ୍ତି ସର୍ବାଗ୍ରେ । ନୂଆଦିଲ୍ଲୀ ଠାରେ ଥିବା ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରରେ ଆୟୋଜିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି ସମ୍ବଲପୁରର ପୁଅ ସୌମ୍ୟରଂଜନ । “ମେରୀ ମିଟି ମେରା ଦେଶ “କାର୍ଯ୍ୟକ୍ରମରେ ଆୟୋଜିତ ଭାଷଣ ପ୍ରତିଯୋଗିତାରେ “ମେରା ଦେଶ ସର୍ବଶ୍ରେଷ୍ଠ’ ବିଷୟ ଉପରେ ନିଜର ବକ୍ତବ୍ୟ ଦେଇ ସଫଳତା ପାଇଛନ୍ତି ସୌମ୍ୟ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ସୁଧା ଯାଦବ, ସାଂସଦ,ମହେନ୍ଦ୍ରଗଡ (ହରିୟାଣା), ମୁଖ୍ୟବକ୍ତା ଭାବେ ବିଦ୍ୟାଭାରତୀର ଅଖିଳ ଭାରତୀୟ ମହମନ୍ତ୍ରୀ ଅବନିଶ୍ ଭଟ୍ଟନାଗର ଏବଂ ଅଧ୍ୟକ୍ଷ ଭାବରେ କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ ମହୋଦୟ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଖଲିଆପାଲି ଗ୍ରାମର ବିଶ୍ୱରଞ୍ଜନ ବଡପଣ୍ଡା ଓ କଲ୍ୟାଣୀ ବଡପଣ୍ଡାଙ୍କ ବଡ଼ ପୁଅ । ବାପାମାଆଙ୍କ ଆଦର୍ଶରେ ପ୍ରେରିତ ହୋଇ ସେ ସବୁବେଳେ ନିଜ ଗାଁ ଆଉ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ଚେଷ୍ଟା କରୁଛି ବୋଲି ସୌମ୍ୟ କହିଛନ୍ତି । ଶିକ୍ଷା ଗ୍ରହଣ କରୁଥିବା ବେଳେ ସୌମ୍ୟ ଜଣେ ସୁବକ୍ତା, ସୁସଂଗଠକ ଓ ସମ୍ବଲପୁରୀ କଳା ସଂସ୍କୃତିର ଅନ୍ୟତମ ଯୁବ ପ୍ରତିଭା । ତାଙ୍କର ଏହି ସଫଳତା ପାଇଁ ସୌମ୍ୟଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ଏହି ସଫଳତା ପାଇଁ ସୌମ୍ୟ ତାଙ୍କ ବାପା, ମା, ଭଉଣୀ, ବନ୍ଧୁ ପରିଜନ, ଗ୍ରାମବାସୀ, ସମ୍ବଲପୁରବାସୀ ଏବଂ ସମସ୍ତ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି । ସୌମ୍ୟ ସବୁବେଳେ ମାତୃଭୂମି, ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବି ବୋଲି କହୁଛନ୍ତି ।

Comments (0)
Add Comment