ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଲିଙ୍ଗାଗଡ଼ ପଞ୍ଚାୟତ, କୁତୁଲୁମ୍ବା ନିକଟରେ ଏକ ନୂତନ ଭାବେ ଖୋଳା ଯାଇଥିବା ପୋଖୋରିରେ ବୁଡ଼ି ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ମାନେ ହେଲେ କୁର୍ମୁଣି ପ୍ରଧାନ, ବୟସ ୫୭ ସ୍ୱାମୀ ବଳଦେବ ପ୍ରଧାନ ସର୍ଶମହା ସାହି ଓ ସୂର୍ଯ୍ୟକାନ୍ତୀ ପ୍ରଧାନ,ବୟସ ୪୦ ସ୍ୱାମୀ ଜସେନ୍ଦ୍ର ପ୍ରଧାନ କାମାନାଜୁ ଗ୍ରାମ ଲିଙ୍ଗାଗଡ଼ର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ଲିଙ୍ଗାଗଡ଼ ଗ୍ରାମରେ ଗ୍ରାମଦେବୀ ମାଁ ବରାଳିନିଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଖପାଖ ସମସ୍ତ ପୋଖରି ଗହଳି ହୋଇଥିଲା, ତେଣୁ ଉଭୟ ମହିଳା କୁତୁଲୁମ୍ବା ନିକଟରେ ନୂତନ ଭାବେ ଖୋଳା ଯାଇଥିବା ପୋଖୋରିରେ ଗାଧୋଇବା ପାଇଁ ଯାଇଥିଲେ । ସମୟ ସକାଳ ପ୍ରାୟ ୭ଟା ହେବ କୁର୍ମୁଣି ପ୍ରଧାନ ଓ ସୂର୍ଯ୍ୟକାନ୍ତୀ ପ୍ରଧାନ ପୋଖୋରିରେ ଗାଧୋଇବା ବେଳେ ଅସାବଧାନତା କାରଣରୁ ଦୁର୍ଭାଗ୍ୟ ବଶତଃ ଦୁଇଜଣ ପୋଖୋରି ପାଣିରେ ବୁଡ଼ି ଯାଇଥିଲେ । ଠିକ୍ ସେହି ସମୟରେ ଅନ୍ୟଜଣେ ମହିଳା ସେଠାକୁ ଗାଧୋଇବା ପାଇଁ ଯାଇଥିଲେ କିନ୍ତୁ ଘଟଣା ସ୍ଥଳରେ ମହିଳାଙ୍କ ଲୁଗାପଟା ଓ ଅନ୍ୟ ଜିନିଷ ପତ୍ର ଦେଖିଥିଲେ କିନ୍ତୁ ପୋଖୋରି ପାଖାପାଖି କାହାକୁ ନ ଦେଖିବା ପରେ ସନ୍ଦେହରେ ପାଖରେ ଥିବା ଏକ ଲମ୍ବା ବାଡି ସାହାଯ୍ୟରେ ପୋଖୋରି କୁଳରେ ବାଡ଼ି ବୁଲେଇବା ବେଳେ ସେମାନେ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରି ପାଟିକରି ଲୋକଙ୍କୁ ଡାକିଥିଲେ ଓ ଘଟଣା ବିଷୟରେ କହିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ଅବଲାକର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଓ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀ ମନରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପହଞ୍ଚି ବୁଡ଼ି ଯାଇଥିବା ଉଭୟ ମହିଳାଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର ପରେ ଉଭୟ ମହିଳାଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତ କୁର୍ମୁଣି ପ୍ରଧାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ ସୂର୍ଯ୍ୟକାନ୍ତୀ ପ୍ରଧାନଙ୍କ କୌଣସି ସନ୍ତାନସନ୍ତତି ନଥିବା ଶୁଣିବାକୁ ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ମୃତ ମହିଳାଙ୍କ ଶବ ଜବତ କରି ଥାନା କେସ ନମ୍ବର ୧୦/୨୦୨୩ ଓ ୧୧/୨୦୨୩ରେ ପୃଥକ୍ ପୃଥକ୍ ୨ଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବା ନେଇ ତଦନ୍ତ ଅଧିକାରୀ ଏଏସଆଇ ବିନୟ ମହାରଣା ଏବଂ ଏଏସଆଇଏଲ୍. ଡି ନାୟକ ସୂଚନା ଦେଇଛନ୍ତି ।