ଘୁ.ଉଦୟଗିରି ମହିଳା ପୋଲିସ୍‌ ଏସ୍‌ଆଇଙ୍କ ମୃତ୍ୟୁ ଘଟଣା, ଏସପିଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ପରିବାର ଲୋକେ

ବାଲିଗୁଡ଼ା/ଘୁ.ଉଦୟଗିରି: ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍‌ ଏସ୍‌ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମୃତ ଏସ୍‌ଆଇଙ୍କ ପରିବାର ଲୋକେ ମହିଳା ଏସ୍‌ଆଇଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ଦାୟୀ କରିବାସହ ତାଙ୍କ ଗିରଫ ଦାବିରେ ଆଜି ଦିନ ତମାମ ଘୁ.ଉଦୟଗିରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ମୃତ ଏସ୍‌ଆଇଙ୍କ ପରିବାର ଲୋକେ । ଘଟଣା ସ୍ଥଳରେ ଘୁ.ଉଦୟଗିରି ତହସିଲଦାର ସୁଭ୍ରାଞ୍ଜଳୀ ପ୍ରଧାନ, ଡିଏସପି ବି.ଏମ୍‌.ହରପଲ୍‌, ସ୍ଥାନୀୟ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ପହଁଚି ପରିବାର ଲୋକଙ୍କୁ ବହୁତ ବୁଝାସୁଝା କରିଥିଲେ । ପରେ କନ୍ଧମାଳ ଏସପି ଭିନିତ୍‌ ଅଗ୍ରୱାଲ ଘଟଣାସ୍ଥଳରେ ପହଁଚି ମୃତ ମହିଳା ଏସ୍‌ଆଇଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୋଗ ପ୍ରକାରେ ତଦନ୍ତ କରାଯିବ । ଜଣେ ଡିଏସପି ପାହ୍ୟା ଅଫିସର ଏହାର ତଦନ୍ତ କରିବେ । ଆଇଆଇସି ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯିବ ଏବଂ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଦୀର୍ଘ ୧୦ ଘଣ୍ଟା ପରେ ପରିବାର ଲୋକେ ଧାରଣାରୁ ଉଠିଥିବା ଜଣାପଡ଼ିଛି ।

Comments (0)
Add Comment