ପୁରୀ : ପୁରୀ ଶରଧାବାଲି ଠାରେ ୪ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । କର୍ଣ୍ଣାଟକ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଯିଏ କୃଷି ବଜେଟ ଉପସ୍ଥାପନ କରୁଛି ।୨୦୦୦ ରୁ ୨୦୨୩ ମଧ୍ୟରେ କୃଷି ବଜେଟରେ ୬ ଗୁଣା ବଢିଛି । କାଳିଆ, ବଳରାମ ଯୋଜନା କୃଷକ ମାନଙ୍କ ପାଇଁ ପ୍ରଣୟନ କରାଯାଇଛି । ସବସିଡ ମଧ୍ୟ ପ୍ରଦାନ କରାଯାଇଛି । ତେବେ କୃଷି କର୍ମଚାରୀ ମାନେ ଏହି ସବୁ ବ୍ୟବସ୍ଥା ଓ ଅଣଧାନ ଚାଷ ସମ୍ପର୍କରେ ବୈଷୟିକ ଜ୍ଞାନ ଉପଯୋଗ ସମ୍ପର୍କରେ କୃଷକ ମାନଙ୍କୁ ଅବଗତ ଓ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ । ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ବିଗତ ୧୦ ବର୍ଷ ମଧ୍ୟରେ କୃଷିରେ ଅନେକ ଉନ୍ନତି ହୋଇଛି । ପାରମ୍ପରିକ କୃଷି ବଦଳରେ ଆଧୁନିକ ପ୍ରଣାଳୀରେ ଚାଷ ପାଇଁ କୃଷକ ମାନେ ଆଗଭର ହେଲେଣି । ଚାଷୀ ମାନଙ୍କ ଆୟ ଦ୍ୱିଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଆଧୁନିକ କୃଷି ପ୍ରଣାଳୀ, ଆଧୁନିକ କୃଷି ଯନ୍ତ୍ରପାତି, ମିଶ୍ରିତ ଚାଷ ଉପରେ କୃଷକ ମାନେ ପଦକ୍ଷେପ ନେବା, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ ଉପଯୋଗ ଓ ପରିଚାଳନା, ଉନ୍ନତ ଯାନ୍ତ୍ରିକରଣର ବିକାଶ ଓ ସୁଯୋଗ ନେବାପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ କୃଷି ଓ କୃଷକର ଉନ୍ନତି ପାଇଁ ଏହି ମେଳା ସହାୟକ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ମେଳାର ସଫଳତା କାମନା କରିବା ସହ କୃଷକ ମାନଙ୍କୁ ଏହି ମେଳାର ସୁଫଳ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଏଥିରେ ସଭାପତିତ୍ୱ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବ୍ରଜ କିଶୋର ହୋତା, ବ୍ଲକ କୃଷି ଅଧିକାରୀ ପିୟୁଷ ବଲ୍ଲଭ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ କୃଷି ମେଳାକୁ ଉଦଘାଟନ କରିଥିଲେ । କୃଷି ମେଳାରେ ୬୩ ଟି କୃଷି ଓ କୃଷି ଯନ୍ତ୍ରପାତି ଷ୍ଟଲ ଏବଂ ୪ଟି ଖାଦ୍ୟ ଷ୍ଟଲ ଖୋଲା ଯାଇଛି । ଏହି ମେଳା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ରେ ଆତ୍ମା କମିଟିର ଅଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ,କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।