ଚିଠା ଭୋଟର ତାଲିକା ୨୦୨୪ ପ୍ରକାଶିତ, ଚୂଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ

ଚମ୍ପୁଆ:ଚୂଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା ବିଧାନସଭା କ୍ଷେତ୍ରର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଚିଠା ଭୋଟର ତାଲିକା ୨୦୨୪ ସର୍ୱସାଧାରଣଙ୍କ ନିମନ୍ତେ ପ୍ରକାଶ କରାଯାଇଥିଲା । ତଥାପି ଯେଉଁ ଯୁବ ଭୋଟର ଓ ଅନ୍ୟମାନେ ଭୋଟର ତାଲିକାରେ ନାମ ପଂଜିକରଣ, ଭୋଟର ତାଲିକାରୁ ବାଦ ଏବଂ ସଂଶୋଧନ କରିବାକୁ ଚାହୁଁଛନ୍ତି ସେମାନେ ଅକ୍ଟୋବର ୨୭ରୁ ଡିସେମ୍ବର ୯ ତାରିଖ ଭିତରେ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅବଧିର ଫାଇଦା ନେବାକୁ ଉପଜିଲ୍ଲାପାଳ ଶ୍ରୀ ମାଝୀ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିଟି ଭୋଟ ମୂଲ୍ୟବାନ । ପ୍ରତ୍ୟେକ ଭୋଟର ସେମାନଙ୍କ ମୂଲ୍ୟବାନ ମତାଧିକାରକୁ ସାବ୍ୟସ୍ତ କରିବାକୁ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ଜରୁରୀ ।ଯୁବ ଭୋଟରମାନଙ୍କ ପଂଜିକରଣ ପାଇଁ ବର୍ଷରେ ଗୋଟିଏ ଯୋଗ୍ୟତା ସୂଚକ ବଦଳରେ ୪ଟି ଯୋଗ୍ୟତା ସୂଚକ ତାରିଖ ଯଥା -ଜାନୁଆରୀ-୧, ଏପ୍ରିଲ -୧,ଜୁଲାଇ-୧ ଏବଂ ଅକ୍ଟୋବର -୧, ଏବଂ ଅନଲାଇନ୍‌ ମାଧ୍ୟମରେ ଭୋଟର ତାଲିକାରେ ନାମ ପଂଜିକରଣ କରିପାରିବେ । ଏଥିପାଇଁ ଯୁବ ଭୋଟରମାନେ ବିଏଲଓ ଏବଂ ପ୍ଲେ ଷ୍ଟୋରରୁ ଭୋଟର ଅନଲାଇନ ଆପ ଡାଉନଲୋଡ କରି ଘରେ ବସି ପଂଜିକରଣ ପାଇଁ ଆବେଦନ କରିପାରିବେ । ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବା ଚିଠା ଭୋଟର ତାଲିକାକୁ ନେଇ ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ରାଜନୈତିକ ଦଳର ଆପତ୍ତି ଅଭିଯୋଗ ଥାଏ,ସେ ବିଷୟରେ ଅବଗତ କରାଇବା ଆଜିର ବୈଠକରେ ମୂଳ ଉଦ୍ଦେଶ୍ୟ । ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ -୬, ତାଲିକାରୁ ବାଦ୍‌ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନଂ -୭,ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ, ଫଟୋ କିମ୍ବା ମୋବାଇଲ୍‌ ନମ୍ବର୍‌ ପେଷ୍ଟ କରିବା ନିମନ୍ତେ ଫର୍ମ ନଂ -୮ ରେ ଆବେଦନ କରିପାରିବେ ।

Comments (0)
Add Comment