ଖପ୍ରାଖୋଲ : ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ନିରୋଧ ସଚେତନତା ସପ୍ତାହ ପାଳନ କରାଯାଉଥିବା ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଥିଲା । ଉଭୟ ଇଂରାଜୀ ଏବଂ ଓଡିଆ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପ୍ରଥମ ବର୍ଷ ଛାତ୍ରୀ ଆଶାରାଣୀ ସାହୁ ଇଂରାଜୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଏବଂ ଜୟ ମା ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ପିଙ୍କି ବେହେରା ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପଞ୍ଚାୟତ ଡିଗ୍ରୀ କଲେଜ ଲାଠୋର , ଜୟ ମା ପାଟଣେଶ୍ୱରୀ ଡିଗ୍ରୀ କଲେଜ ପାଞ୍ଚ ଛକ , ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଲପଡା , ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଠୋର , ଜବାହାରଲାଲ ନେହେରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧଣ୍ଡାମୁଣ୍ଡା , ଜୟ ମା ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ କଲେଜ ପାଞ୍ଚ ଛକ , ଆରବିଏସଏସ ଉଚ୍ଚ ମାଧ୍ୟମିକ କଲେଜ ଘୁନସର ଏବଂ ଆୟୋଜକ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖପ୍ରାଖୋଲ ସମେତ ୮ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଲାଠୋରର ଇଂରାଜୀ ଅଧ୍ୟାପକ ଭବାନୀକାନ୍ତ ବର୍ଗେ, ଜେଏମପି ଡିଗ୍ରୀ କଲେଜ ଶିକ୍ଷା ବିଭାଗ ଅଧ୍ୟାପକ ସୂର୍ଯ୍ୟକାନ୍ତ ପ୍ରଧାନ, ଲାଠୋର +୨ ଉଚ୍ଚ ମାଧ୍ୟମିକ ବଦ୍ୟାଳୟର ଇଂରାଜୀ ଅଧ୍ୟାପକ ସତ୍ୟନାରାୟଣ ସାହୁ, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବଳଭଦ୍ର ଦାସ , ଅର୍ଥନୀତି ଅଧ୍ୟାପିକା ମଧୁସ୍ମିତା ସାହୁ ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇଥିଲେ । ଅଧ୍ୟକ୍ଷ ପ୍ରମୋଦ କୁମାର ପାଣିଙ୍କ ତତ୍ୱକ୍ଷବଧାନରେ ଆୟୋଜିତ ପ୍ରତିଯୋଗିତାରେ ଅଧ୍ୟାପିକା ସୁନନ୍ଦା ଭୋଇ, ଅଧ୍ୟାପିକା ମିନା ସାହୁ, ସରକାରୀ ଗ୍ରନ୍ଥାଗାରିକ ଦିଲିପ ନିଆଲ , ଜନାର୍ଦ୍ଦନ ସୁନା, ନନ୍ଦ କିଶୋର ବାଗ, ଗୁଣମଣି ସାହୁ , ବଳକୃଷ୍ଣ ପୁଞ୍ଜି ପ୍ରମୁଖ ସହାୟତା କରିଥିଲେ । ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ଦୁଇ ପ୍ରତିଯୋଗୀ ଆସନ୍ତା ୨ ତାରିଖ ପ୍ୟାରିମୋହନ ଏକାଡେମୀ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।