ବିଡ଼ିଓଙ୍କ ଦ୍ୱାରା ଭତ୍ତା ବଣ୍ଟନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ହାତରେ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି । ନନ୍ଦାହାଣ୍ଡି ବ୍ଲକରେ ଦାୟିତ୍ୱ ଗ୍ରହଣ ପରଠୁ ଚର୍ଚ୍ଚିତ ଅଧିକାରୀ ଭାବେ ସୁପରିଚିତ ଶ୍ରୀ ସାହୁ । ପୂର୍ବରୁ ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳକୁ ଯାଇ ପାନୀୟ ଜଳ ସମସ୍ୟା ହେଉ କି ବିଦ୍ୟୁତ ଯୋଗାଣରେ ଅନିୟମିତତା ଅବା ଅନାଥ ପିଲାର ଥଇଥାନ ବ୍ୟବସ୍ଥା ହେଉ କି ଅସହାୟ ରୋଗୀର ଦୁଃଖ ବୁଝି ସମାଧାନର ବାଟ ଖୋଜି ବାହାର କରିଛନ୍ତି । ଆସିବା ଦିନଠାରୁ ନିଜର ଲୋକପ୍ରିୟ କାର୍ଯ୍ୟକ୍ରମ ଯୋଗୁଁ ସମସ୍ତଙ୍କ ମନ କିଣି ନେଉଛନ୍ତି । ଆଜି ପୁଣି ଏକ ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ନିଜ କର୍ତ୍ତବ୍ୟ ତୁଲାଇବା ସକାଶେ ବିଭିନ୍ନ ଗ୍ରାମପଞ୍ଚାୟତର ହିତାଧିକାରୀଙ୍କୁ ବ୍ୟାଙ୍କ ପ୍ରତିନିଧିଙ୍କ ସହାୟତାରେ ତାଙ୍କ ଦ୍ୱାର ମୁହଁରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଛନ୍ତି । ଯେଉଁମାନେ କି ଚାଲିବା ଅକ୍ଷମ, ଦୀର୍ଘ ଦିନ ଶଯ୍ୟାଶାୟୀ କିମ୍ବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ବ୍ୟାଙ୍କକୁ ଯାଇପାରୁ ନଥିଲେ ସେମାନଙ୍କୁ ଏହି ସେବା ଯୋଗାଇଛନ୍ତି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଜଗନ୍ନାଥପୁର, ଝାଡବନ୍ଧଗୁଡା, ଦହଣା, ମେଣ୍ଟ୍ରି ଓ ଧଣ୍ଡରା ଗ୍ରାମପଞ୍ଚାୟତର ମୋଟ ୩୪ ଜଣ ହିତାଧିକରୀଙ୍କୁ ଏକାଧିକ ମାସର ନଗଦ ଟଙ୍କା ପୈଠ କରାଇଛନ୍ତି । ଏହି ଭତ୍ତା ଟଙ୍କା ଘର ମୁହଁରେ ଯୋଗାଇଦେବାକୁ ପିଇଓ ପ୍ରସନ୍ନ ବିଷୋୟୀ, ଜିଆରଏସ, ଯୋଗାଣ ସହାୟକ, ବ୍ୟାଙ୍କ୍‌ ପ୍ରତିନିଧି ଓ ସାମାଜିକ ସୁରକ୍ଷା ଉପ- ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବିଚିତ୍ରାନନ୍ଦ ଶତପଥୀ ସହଯୋଗ କରିଥିଲେ । ବିଡ଼ିଓ ମଧ୍ୟ ସେବା ଯୋଗାଇବା ପାଇଁ କଠୋରରୁ କଠୋର ପରିଶ୍ରମ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିବା ବେଳେ ଲୋକେ ମଧ୍ୟ ଖୁସି ହୋଇ ବିଡ଼ିଓଙ୍କୁ ପ୍ରଶଂସା କରିଥିଲେ ।

Comments (0)
Add Comment