୭୮କେଜି ଗଞ୍ଜେଇ ଜବତ,୨ଗିରଫ

ରାୟଗଡା: ରାୟଗଡା ଜିଲ୍ଳା ଅବକାରୀ ବିଭାଗକୁ ମିଳିଛି ଏକ ସଫଳତା । ରାୟଗଡା ଜିଲ୍ଳା ସଦର ମହକୁମାର ରେଳବାଇ ଷ୍ଟେସନ ଛକ ଓ ବସଷ୍ଟାଣ୍ଡ ଅଂଚଳରୁ ୭୮.୨୫୦ କେଜି ଗଂଜେଇ ଜବତ କରାଯାଇଛି । ଏଥିରେ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ରାୟଗଡା ସଦରରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଅବକାରୀ ସଦର ଥାନା ଇନ୍ସପେକ୍ଟର ସୀମାକିରଣ ବେଗ୍‌ ଓ ଜିଲ୍ଳା ମୋବାଇଲ୍‌ ୟୁନିଟ୍‌ ଇନ୍ସପେକ୍ଟର ହିତାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ସଦର ଅବକାରୀ ଥାନା ଷ୍ଟାଫ୍‌ ଏବଂ ମୋବାଇଲ୍‌ ୟୁନିଟ୍‌ ମିଳିତ ଭାବେ ରାୟଗଡା ରେଳବାଇ ଷ୍ଟେସନ ଛକ ଓ ବସଷ୍ଟାଣ୍ଡ ଅଂଚଳରେ ଚଢାଉ କରିଥିଲେ । ରେଳବାଇ ଷ୍ଟେସନ ଛକରେ ଚଢାଉ ସମୟରେ ଜଣେ ଅଭିଯୁକ୍ତଙ୍କ ଠାରୁ ୬୦କେଜି ଗଂଜେଇ ଜବତ ହୋଇଥିବା ବେଳେ ବସଷ୍ଟାଣ୍ଡ ଅଂଚଳରୁ ୧୮.୨୫୦କେଜି ଗଂଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଉଭୟ ଅଭିଯୁକ୍ତ ଦ୍ୱୟ ରାଜସ୍ଥାନର ବୋଲି ଜଣାପଡିଥିବା ବେଳେ ପଡୋଶୀ କନ୍ଧମାଳ ଜିଲ୍ଳାରୁ ସେମାନେ ଗଂଜେଇ ଆଣି ବାହାରକୁ ନେଇ ଯିବା ପାଇଁ ଅପେକ୍ଷା କରି ରହିଥିଲେ ବୋଲି ଅବକାରୀ ପୋଲିସ ଅନୁମାନ କରିଛି । ଉଭୟ ଦୁଇଟି ସ୍ଥାନରୁ ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ୮୨ହଜାର ୫୦୦ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବ୍‌ଇନ୍ସପେକ୍ଟର କିଶୋର ଚନ୍ଦ୍ର ରଥ,ଏଏସଆଇ ସଂଗ୍ରାମ କେଶରୀ ପ୍ରଧାନ, କନେଷ୍ଟବଳ ପି.କିଶୋର, ସନ୍ତୋଷ ଗଉଡ, ଇଶ୍ୱର କାଡ୍ରକା, ଚନ୍ଦନ ପାଣି, ଅର୍ଜୁନ ମୁଣ୍ଡାଗଡିଆ, ସଂଜୟ ମାଝି ଓ ରୀନା ବାରିକ୍‌ ପ୍ରମୁଖ ସାମିଲ ହୋଇଥିଲେ । ବର୍ତ୍ତମାନ ଖୁଲମଖୁଲା ରାୟଗଡା ସହରରେ ଅସାଧୁ ବ୍ୟବସାୟୀମାନେ ଗଂଜେଇ ନେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ତଥା ସ୍ଥାନୀୟ ପୋଲିସ ହାତରେ ଧରାପଡିବାର ଟିକେ ମାତ୍ର ସେମାନଙ୍କ ପାଇଁ ଭୟ ନ ଥିବା ଜଣାପଡୁଛି । ଜିଲ୍ଳାରେ ନିୟମିତ ଭାବେ ଅବକାରୀ ଓ ସ୍ଥାନୀୟ ଜିଲ୍ଳା ପୋଲିସର ଯାଂଚ କଡାକଡି ହେଉଥିବା ସ୍ଥଳେ ବେଆଇନ ଗଂଜେଇ ଚୋରା ଚାଲାଣ କରିବାରେ ଅସାଧୁ ବ୍ୟବସାୟୀମାନେ ପଛଘୁଂଚା ଦେଉ ନାହାନ୍ତି । ଫଳରେ ରାୟଗଡା ଅବକାରୀ ଜିଲ୍ଳାରେ ଗଂଜେଇର ବେଆଇନ କାରବାର ଥମିବାର ନାଁ ନେଉନାହିଁ । ରାୟଗଡାରୁ ଦେଶର ବିଭିନ୍ନ ରାଜ୍ୟକୁ ଗଂଜେଇ ମାଫିଆମାନେ ତଥା ଅସାଧୁ ବ୍ୟବସାୟୀମାନେ ଜିଲ୍ଳା ଭିତରୁ ତଥା ପଡୋଶୀ ଜିଲ୍ଳାଗୁଡିକରୁ ବିପୁଳ ମାତ୍ରାର ଗଂଜେଇ ଆଣି ରାୟଗଡାରୁ ଟ୍ରେନ୍‌ ତଥା ବସ, ଟ୍ରକ ଓ ଅନ୍ୟାନ୍ୟ ଉପାୟରେ ଚୋରା ଚାଲାଣ କରିବା ପାଇଁ ଅନେକ ସମୟରେ ଯୋଜନା କରୁଛନ୍ତି ।

Comments (0)
Add Comment