ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇଯାଇଅଛି । ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ,କାଶୀନଗର ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ସହିତ ଜନସାଧାରଣଙ୍କ ପାଖରେ ବାର୍ତ୍ତା ପହଞ୍ଚାଇ ପାରିବ । ଶିଶୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ବ୍ୟକ୍ତି ସାବଧାନ , ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ । ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ(ବୃତ୍ତି ଓ ପ୍ରକ୍ରିୟା) ନିୟୋଜନକୁ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିବ । କେବଳ ଜୋରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ ବୃତ୍ତିଗତ ପ୍ରକ୍ରିୟାରେ ନିୟୋଜିତ କରୁଥିଲେ, ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି, ଏପରିକି ଉଭୟ ଜେଲଦଣ୍ଡ ଜୋରିମାନା ହୋଇପାରେ । ଏପରି ଭୁଲ ଦ୍ୱିତୀୟଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରିବ । ୧୪ ବର୍ଷରୁ କମ ଶିଶୁକୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏକ ଅପରାଧ ଅଟେ, ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରୁଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜନ କରୁଛନ୍ତି ତେବେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରିପାରିବେ । ଏତତ୍‌ ବ୍ୟତୀତ, ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନଂ ୧୫୫୩୬୮ ଏବଂ ଚାଇଲଡ଼ ଲାଇନ ନଂ ୧୦୯୮କୁ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ଶ୍ରମ ଆୟୁକ୍ତ ଗଜପତି ତଥା ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ବିକାଶ କୁମାର ମେହେର ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment