ଜାତୀୟ ରାଜପଥ ପାର ହେଲେ ୭ଟିକିଆ ହାତୀ ପଲ, ଭିଡିଓ ଭାଇରାଲ

ହରଭଙ୍ଗା : .ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର ବାଣିଗୋଚ୍ଛା ରାସ୍ତାର ମଧ୍ୟ ଭାଗରେ ଏକ ହାତୀପଲ ଉକ୍ତ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି ଦୁଇ ଦିନ ତଳେ ଏଇ ରାସ୍ତା ଅତିକ୍ରମ କରୁଥିଲେ ହାତୀ ପଲ । ଏହି ସମୟରେ ରାସ୍ତାରେ ଯାନ ବାହାନା ଦ୍ୱାରା ଯାଉଥିବା ଯାତ୍ରୀମାନେ ଅଟକି ରହି ନିଜ ମୋବାଇଲରେ ଭିଡିଓ କଏଦ କରିଥିଲେ । ଉକ୍ତ ହାତୀ ମାନେ ପ୍ରବଳ ଖରା ଓ ଅସହ୍ୟ ତାତିକୁ ନେଇ ଜଙ୍ଗଲ ନିକଟସ୍ଥ ଜଳାଶୟକୁ ଗତି କରୁଥିବା ଅନୁମାନ କରାଯାଉଛି । ଏନେଇ ସ୍ଥାନୀୟ ବନ ବିଭାଗ ହାତୀର ଗତି ବିଧି ଉପରେ କଡା ନଜର ରଖିଥିବା ଜଣାପଡିଛି । ଉକ୍ତ ଘଟଣାକୁ ନେଇ ମାଧପୁର ରେଞ୍ଜ ଅଧିକାରୀ ଆଶିଷ ଦିଗାଲଙ୍କୁ ପଚାରିବାରୁ ହାତୀ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । କିନ୍ତୁ ହାତୀ ମାଧପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ବେଳେ ଆମେ ତାଙ୍କର ସୁରକ୍ଷା ଓ ଗତିବିଧି ଉପରେ ସମସ୍ତ କର୍ମଚାରୀ ତତ୍ପର ରହିଛୁ ବୋଲି କହିଥିଲେ । ହାତୀର ସୁରକ୍ଷା ଦୃଷ୍ଟିରୁ ଆମେ ହାତୀ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ପାରିବୁ ନାହିଁ ବୋଲି ପ୍ରକାଶ କରିଥିଲେ । ଏପଟେ ଆଜି ଏହି ହାତୀ ପଲ ମୁଣ୍ଡେଶ୍ୱର ଜଙ୍ଗଲକୁ ରାଜପଥ ଅତିକ୍ରମ କରି ଯାଉଥିଲେ ଏବଂ ଏହା ୭ଟିକିଆ ହାତୀପଲ ହୋଇଥିବା ବେଳେ ମା’ ହାତୀ ୫ପଟ, ଦନ୍ତା ୧ଗୋଟି ସମେତ ଏକ ଶିଶୁ ହାତୀ ଶାବକ ଥିବା ଉତ୍ତୋଳନ ଫଟୋ ଓ ଭିଡିଓରୁ ଜଣାପଡିଛି ।

Comments (0)
Add Comment