ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ ପ୍ରେରକ ସଙ୍ଘର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଭାରତ ସରକାରଙ୍କ ସାକ୍ଷରତା ଅଭିଯାନରେ ୧୫ ବର୍ଷ ରୁ ଉର୍ଦ୍ଧ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା । ଏଥିରେ କଲାହାଣ୍ଡି ଜିଲ୍ଲାର ୨୭୩ଟି ପଞ୍ଚାୟତରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ । ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତର ପିଡ଼ିଏସ,ଭତ୍ତାବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ, ବିପିଏଲ, ଏପିଏଲ ସର୍ଭେରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରିଥିଲେ । ୨୦୧୮ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଥିବାରୁ ବର୍ତମାନ ପ୍ରେରକ ମାନେରୋଜଗାର ହରେଇବା ସହ ତାଙ୍କ ପରିବାର ଦୟନୀୟ ପରିସ୍ଥିତିରେ କାଳାତିପାତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଭିଯାନରେ ଓ ପ୍ରି ସ୍କୁଲ ଯୋଜନାରେ ପ୍ରେରକମାନଙ୍କୁ ଶିକ୍ଷା ପ୍ରେରକ ଭାବରେ ନିଯୁକ୍ତି ଦେବା ପାଇଁ କଲାହାଣ୍ଡି ଜିଲ୍ଲାରୁ କଳାହାଣ୍ଡି ପ୍ରେରକ ସଙ୍ଘର ସଭାପତି ଅକ୍ରୁର ମହାଳିକ, ସହ ସମ୍ପାଦକ ଛବି ବିହାରୀ, ସାମାଜିକ କର୍ମୀ ଚିନ୍ମୟ ବେହରା ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରେରକଙ୍କ ସାମୁହିକ ସମସ୍ୟା ଓ ପୁନଃ ନିଯୁକ୍ତିକୁ ଗୁରୁତ୍ୱଦେଇ ଏହାର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Comments (0)
Add Comment