ଭୁବନେଶ୍ୱର: ‘ଆମେ କେବେ ମୋଟର ସାଇକେଲ ଚଢ଼ି ନାହୁଁ ହେଲେ ଏବେ ଓଜନିଆ ମେସିନ୍ ଚଲାଉଛୁ’ ବୋଲି କହନ୍ତି ଶାନ୍ତି ଲାକ୍ରା, ଏହା ଜଣାଉଛି ଯେ, ପୁରୁଷ ପ୍ରଧାନ୍ୟ ବିସ୍ତାର କରିଆସିଥିବା ଖଣି- ଖାଦାନ ଭଳି କ୍ଷେତ୍ରରେ ମହିଳାମାନେ ମଧ୍ୟ କିଭଳି ନିଜ କାର୍ଯ୍ୟକ୍ଷେତ୍ରରେ ଶକ୍ତି ଓ ଏକାଗ୍ରତା ପ୍ରଦର୍ଶନ ସହିତ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଓଡ଼ିଶାର ଖଣିଜ ଶିଳ୍ପ କ୍ଷେତ୍ରରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳୁଛି ଯେ, ଜେଏସ୍ଡବ୍ଲ୍ୟୁ ର ଜୋଡା କୋଇଡା ଲୁହା ଖଣି ଅଂଚଳରେ ମହିଳାମାନେ (ହେଭି ଆର୍ଥ ମୁଭିଂ ମେସିନାରି -ହେମ୍) ଓଜନିଆ ମେସିନ୍ ଦକ୍ଷଭାବରେ ଚଳାଇ ପାରୁଛନ୍ତି । ଏହା ନିଶ୍ଚିତ
ଭାବରେ ସ୍ୱାଗତଯୋଗ୍ୟ । ଜେଏସ୍ଡବ୍ଲ୍ୟୁ ଷ୍ଟିଲ (ଓଡିଶା ଖଣି ଶାଖା) ଅନୁସାରେ ୯ ଜଣ ମହିଳା ହେମ୍ ଅପରେଟରଙ୍କୁ କେନ୍ଦୁଝର ସ୍ଥିତ ଯଜାଙ୍ଗ ଖଣିରେ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ଅନ୍ୟ ୩୨ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଉଛି । ସେମାନେ ଏହି ତାଲିମ୍ରେ ନିଜର ଶାରୀରିକ ଦକ୍ଷତା ଏବଂ ମାନସିକ ଦୃଢତାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ କରିଛନ୍ତି ବୋଲି ଜଣେ କମ୍ପାନୀ ଅଧିକାରୀ କହିଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ପ୍ରଶିକ୍ଷାର୍ଥୀମାନେ ହେମ୍ ଅପରେଟର ଭାବରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ କଠିନ ପ୍ରଶିକ୍ଷଣ ନେଇଛନ୍ତି । ତାଲିମ ସମ୍ପୂର୍ଣ୍ଣ ହେବା ପରେ, ଏହି ମହିଳାମାନଙ୍କୁ ଡମ୍ପର, ଡୋଜର, ସଭେଲ୍ ଏବଂ ଡ୍ରିଲ ମେସିନ୍ ଚଳାଇବା କ୍ଷେତ୍ରରେ ସହକାରୀ ଅପରେଟର ଭାବରେ ନିୟୋଜିତ କରାଯିବ । ହେମ୍ ଚଳାଇବାର ସୁଯୋଗ ଦେବା ନିଶ୍ଚିତ ଭାବରେ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ ଓ ସେମାନେ ଅଧିକ ଦକ୍ଷତା ପ୍ରଦର୍ଶନ କରିପାରିବେ । ୩୭ ବର୍ଷିଆ ଶାନ୍ତି ଲାକ୍ରା କହନ୍ତି ପୁରୁଷମାନେ ପ୍ରାଧାନ୍ୟ ବିସ୍ତାର କରିଥିବା ଏକ କ୍ଷେତ୍ରରେ କାମ କରିବା ଏବଂ ନିଜକୁ ଏହି କ୍ଷେତ୍ରରେ ଦକ୍ଷ ପ୍ରମାଣିତ କରିବା ଦ୍ୱାରା ନିଜ ନଜରରେ
ନିଜର ମୂଲ୍ୟ ବୃଦ୍ଧି ଘଟିଥିବା ଅନୁଭବ କରନ୍ତି । “ଯେତେବେଳେ ମୁଁ ଏଠାରେ କାମ କରିବାର ସୁଯୋଗ ପାଇଲି, ମୁଁ ଷ୍ଟିଅରିଂ ବ୍ୟବହାର କରିବା ପାଇଁ ଗାଡି ଚଲେଇବାର ତାଲିମ ନେଲି ପରେ, ସିମୁଲେଟର ଓରିଏଂଟେସନ୍ ମଧ୍ୟ ବହୁତ ସାହାଯ୍ୟ କଲା । ସେ ଗର୍ବର ସହିତ କୁହନ୍ତି, ମୁଁ ଏପ୍ରିଲ୍ ୨୦୨୨ ରୁ ଜେଏସ୍ଡବ୍ଲ୍ୟୁ ଯଜାଙ୍ଗ ମାଇନ୍ରେ ଡମ୍ପର୍ ଚଳାଉଛି ।
ଅନ୍ୟ ଜଣେ ଅପରେଟର ମୋନିକା ଦେବୀ ଫିଲ୍ଡ ୱାର୍କ ଏବଂ ସିମୁଲେଟର ମାଧ୍ୟମରେ ବିଭିନ୍ନ ପ୍ରକାରର ମେସିନ୍ ଚଳାଇବା ଶିଖିଛନ୍ତି । ଦେବୀ କହନ୍ତି, “ନୂଆ ଜିନିଷ ଶିଖିବା ପାଇଁ ଶାରୀରିକ ପରିଶ୍ରମ କରିବାକୁ ମୋର ଧର୍ଯ୍ୟ ଅଛି । ଆମ ପାଇଁ ତାଲିମ ନେବା ଅତି ଉତ୍ସାହପ୍ରଦ ଥିଲା କାରଣ ଆମେ ଶୂନରୁ ଜିନିଷ ଶିଖବା ଆରମ୍ଭ କରିଥିଲୁ ।” ତାଲିମ ସମୟରେ ଆବଶ୍ୟକୀୟ ସମର୍ଥନ ଦେଇଥିବାରୁ ଦେବୀ ଜେଏସ୍ଡବ୍ଲ୍ୟୁ ପରିଚାଳନା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । “ତାଲିମ ଦାତା ଓ ଅପରେଟରମାନେ ପ୍ରତ୍ୟେକ ସମୟରେ ଆମ ସହିତ ରହି ଆମକୁ ମେସିନ୍ ଚଳାଇବା ପାଇଁ ନିୟମିତ ଭାବରେ ପ୍ରେରଣା ଦେଇଥାନ୍ତି ଯାହାଫଳରେ ଆମ ମନରୁ ଭୟ ଦୂରେଇ ଯାଇଛି । ଆମେ ବର୍ତ୍ତର୍ମାନ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରୁଛୁ,’ ବୋଲି ସେ କହିଛନ୍ତି । କମ୍ପାନୀ ରିପୋର୍ଟ ଅନୁସାରେ ୯୦ ଅପରେଟର ବର୍ତ୍ତମାନ ତାଲିମ ନେଉଛନ୍ତି ଯେଉଁମାନଙ୍କ ମଧ୍ୟରେ ପ୍ରାୟ ୪୦% ମହିଳା ଅଛନ୍ତି । ତାଲିମ୍ ପରେ, ସେମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ସିମୁଲେଟର ଚଳାଇବାକୁ ଅନୁମତି ଦିଆଯିବ । ତାଲିମ ଗ୍ରହଣକରୁଥିବା ଲୋକମାନେ ଏକ ଅପରେଟର ଭାବରେ ସେମାନଙ୍କର ଲାଇସେନ୍ସ ପାଇବା ପାଇଁ ତିନୋଟି ପର୍ଯ୍ୟାୟ ଦେଇ ଗତି କରନ୍ତି । ଅଂଶଗ୍ରହଣକାରୀମାନଙ୍କୁ ଏହି ତାଲିମ୍ ମଡ୍ୟୁଲ୍ ପରିଚାଳନା କରିବା ପାଇଁ କମ୍ପାନୀ ପକ୍ଷରୁ ୫ ଅଭିଜ୍ଞ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ଅପରେଟର ହେବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ୍ ତଥାପି, ଖଣି କ୍ଷେତ୍ରରେ ଅଭିଜ୍ଞ ମହିଳା ଅପରେଟରମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ପ୍ରମାଣପତ୍ର ଦାଖଲ ନିୟମ କୋହଳ କରାଯାଇଛି । ଅପରେଟର ସାଲୁ ଏକକା ତାଙ୍କ ଅନୁଭବରୁ କହିଛନ୍ତି, “ଖଣିରେ ଅପରେଟର ହେବା ଏକ ଚ୍ୟାଲେଞ୍ଜର କାମ । ମୋତେ ବାରମ୍ବାର ମାଟି ତଳକୁ (ଅଣ୍ଡରଗ୍ରାଉଣ୍ଡ) ଯିବାକୁ ପଡୁଥିଲା । ଭାରୀ ଯନ୍ତ୍ର ଚଲାଇବା ମଧ୍ୟ କଷ୍ଟସାଧ୍ୟ ଥିଲା ତଥାପି, ତାଲିମଦାତାମାନଙ୍କ ଠାୁର ଓ ଅନ୍ୟ କର୍ମଚାରୀଙ୍କ ଠାରୁ ବହୁତ ସାହାସ ଓ ସମର୍ଥନ ମତେ ମଳିଥିଲା ଫଲରେ ମୋର ମନରୁ ଧିରେ ଧିରେ ଭୟ ଦୂର ହେଇଗଲା ଏବଂ ଶେଷରେ ମୁଁ ଆତ୍ମବିଶ୍ୱାସ ହାସଲ କରିପାରଲି,’ ବୋଲି ସେ କୁହନ୍ତି । ଏପର୍ଯ୍ୟନ୍ତ, ଜେଏସ୍ଡବ୍ଲ୍ୟୁ ଇସ୍ପାତ ଖଣି, ଓଡିଶା ଶାଖାରେ ୪୭ ଜଣ ମହିଳା କର୍ମଚାରୀ ଅଛନ୍ତି, ୩୨ ଜଣ ଅପରେଟର କାର୍ଯ୍ୟ ପାଇଁ ଏଠାରେ ତାଲିମପ୍ରାପ୍ତ ଓ ସେମାନଙ୍କ ମଧ୍ୟରୁ ୯ ଜଣ ହେମ୍ ଚଳାଉଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୭ ଜଣଙ୍କୁ ଓଡିଶାରୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ଏହି ଅଚଂଳରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି । ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯୋଗାଣରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ଓ ଖଣିଜ ଉତ୍ପାଦନରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ ରହିଛି । ଗତ ଦଶନ୍ଧିରେ ଖଣି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିଥିବା ଓଡିଶାରେ ଖଣିଜ ଉତ୍ପାଦନ ବାର୍ଷିକ ୪.୪ % ବୃଦ୍ଧି ପାଇଛି ।