ସମାଜସେବୀଙ୍କ ଅକାଳ ବିୟୋଗ

ପୁରୀ : ସ୍ୱର୍ଗଦ୍ୱାର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ହୋଟେଲିୟର ରବି ନାରାୟଣ ମହାନ୍ତିଙ୍କର ୫୯ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ସେ ଭେଲୋରରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରୀରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀ ରୀନା ମହାନ୍ତି, ଜ୍ୟୋଷ୍ଠ ପୁତ୍ର ବୁବୁନ ମହାନ୍ତି, କନିଷ୍ଠ ପୁତ୍ର ଟୁଟୁନ ମହାନ୍ତି ଓ ପୁତ୍ରବଧୂ ଉପସ୍ଥିତ ଥିଲେ । ସୋମବାର ସକାଳେ ତାଙ୍କର ପାର୍ଥିବ ଶରୀର ପୁରୀ ବାସ ଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏମଟିଜି ଗ୍ରୁପ୍‌ ର ସଭାପତି ଜଗନ୍ନାଥ ସାହୁଙ୍କ ସମେତ ସଦସ୍ୟମାନେ ସ୍ୱର୍ଗତ ମହାନ୍ତିଙ୍କ ଅନ୍ତିମ ଦର୍ଶନ କରିବାସହ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ । ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବାବେଳେ ଜ୍ୟୋଷ୍ଠ ପୁତ୍ର ବୁବୁନ ମହାନ୍ତି ମୂଖାଗ୍ନି ଦେଇଥିଲେ । ସ୍ୱର୍ଗତ ମହାନ୍ତିଙ୍କ ସାନଭାଇ ଲୋକନାଥ ମହାନ୍ତି ଏବଂ ପୁତୁରା ଶୋଭନ ମହାନ୍ତି ଉପସ୍ଥିତ ଥିଲେ ।ଶ୍ରୀ ମହାନ୍ତିଙ୍କ ମୃତ୍ୟୁରେ ସ୍ୱର୍ଗଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Comments (0)
Add Comment