କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା, ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । କଲେଜରେ ଉତ୍ତେଜନା ଦେଖାଦେବା ପରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ସମସ୍ୟା ସମାଧାନ ଦାବିରେ ବାଲିଗୁଡ଼ା-ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଘଟଣାସ୍ଥଳରେ କୋଟଗଡ଼ ତହସିଲଦାର, ଥାନା ଅଧିକାରୀ ଏବଂ ସାଂସଦ ପ୍ରତିନିଧି ମନୋଜ ସାବତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ବେଳେ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଡ଼ି ବସିଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ କୋଟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ସେଥିମଧ୍ୟରୁ ୯୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି । କଲେଜ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ଠିକ୍‌ ଭାବରେ ବିନିଯୋଗ ନକରିବା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ଠାରୁ କର୍ତ୍ତୃପକ୍ଷ ଖାଇବା ବାବଦକୁ ମାସିକ ହଜାରେ ଟଙ୍କା ଲେଖାଏଁ ନେଉଥିବା ବେଳେ ଉପଯୁକ୍ତ ଖାଦ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପିଇବା ପାଣି, ଶୌଚାଳୟ ଆଦିର ସଠିକ୍‌ ବ୍ୟବସ୍ଥା ନଥିବା ବେଳେ ଏହାର ସମାଧାନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟି ଛାତ୍ରଛାତ୍ରୀମାନଙ୍କୁ ନାଲି ଆଖି ଦେଖେଇବା ସହ ଇଚ୍ଛା ହେଲେ ରୁହ ନଚେତ୍‌ ଏଠାରୁ ପଳେଇଯାଅ ବୋଲି ଧମକ ଦେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଯେତେ ଜରୁରୀ, ସରକାରୀ ଅନୁଦାନ ଛାତ୍ରଛାତ୍ରୀଙ୍କ ହିତରେ ନଲଗାଇ ଆତ୍ମସାତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡ଼ିଛି ।

Comments (0)
Add Comment