ଦଶପଲ୍ଲା : – ଦଶପଲ୍ଲା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବିଜୟ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀରାମପୁର ଗ୍ରାମବାସୀ ଏକତ୍ରିତ ହୋଇ ଦଶପଲ୍ଲା ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଥାନା ସମ୍ମୁଖରେ ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ମୃତ ବିଜୟଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବିକରି ରାଜପଥ ଅବରୋଧ କରିଥିଲେ । କିଛି ସମୟ ରାସ୍ତା ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା । ନୟାଗଡ ଏସ୍ଡିପିଓ ଓ ଦଶପଲ୍ଲା ଥାନାଧିକାରୀ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଅନ୍ୟପଟେ ବିଜୟ ସାହୁ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସନ୍ଧନୀ କୁକୁର ସହ ପୋଲିସ ଟିମ ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି । ସୂଚନା ଥାଉ କି, ଗତ ରବିବାର ଦିନ ମୃତ ବିଜୟ ସାହୁ ପୂର୍ବାହ୍ନରେ କାର୍ଯ୍ୟ କରିବା ପାଇଁ ସାଇକେଲ ଯୋଗେ ଘରୁ ବାହାରିଥିଲେ । ତେବେ ଅପରାହ୍ନରେ କନ୍ଧଅନ୍ଧାରକୁଟ ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରୁ ତାଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଥିଲା । ମୃତ ବିଜୟଙ୍କ ପେଟଟି ଗଭୀର ଭାବେ କଟିଥିବା ବେଳେ ଅନ୍ତନଳି ବାହାରି ଆସିଥିବା ମୃତଦେହ ଠାବ ହୋଇଥିଲା । ତାଙ୍କୁ କେହି ହତ୍ୟାକରି ପିଙ୍ଗି ଦେଇଥିବା ସାଧାରଣରେ ସନ୍ଦେହ କରାଯାଉଥିଲା ।