ପୁରୀ ପୁଲିସକୁ ସଫଳତା, ୧୨ ବିହାରୀ ଲୁଟେରା ଗିରଫ

ପୁରୀ : ପୁରୀ ପୋଲିସକୁ ପୁଣି ସଫଳତା । ବିହାରୀ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ । ଚନ୍ଦନ ଯାତ୍ରା ଓ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳିକୁ ଟାର୍ଗେଟ କରି ସୁନା ଚେନ ଓ ମୋବାଇଲ ଲୁଟ କରିବା ଲାଗି ବିହାର ଓ ଉତ୍ତର ପ୍ରଦେଶରୁ ୧୨ଜଣ ଲୁଟେରା ଆସି ପୁରୀ ଟାଉନ ଥାନା ଅନ୍ତର୍ଗତ ଗଛକାଳୀ ନିକଟ ଏକ ହୋଟେଲରେ ରହୁଥିଲେ । ଗତକାଲି ଶ୍ରୀମନ୍ଦିର ଭିତରରୁ ଭକ୍ତଙ୍କ ଠାରୁ ସୁନା ଚେନ ଲୁଟ ହେବା ଘଟଣାରେ ସିଂହଦ୍ୱାର ଥାନା ପୋଲିସ ଜଣକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତକୁ ପଚାର ଉଚାର କରାଯାଇ ଏହି ବିହାରୀ ଲୁଟେରା ଗ୍ୟାଙ୍ଗକୁ ଠାବ କରିଥିଲା ସିଂହଦ୍ୱାର ଥାନା ପୋଲିସ । ଗଛ କାଳୀ ସ୍ଥିତ ଏକ ହୋଟେଲରେ ଅତର୍କିତ ଚଢାଉ କରି ୧୨ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ସିଂହଦ୍ୱାର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ୧୨ଟି ମୋବାଇଲ, ୩ଟି ସୁନା ଚେନ ଏବଂ ୨୮ହଜାର ଟଙ୍କା ଜବତ କରାଯାଇଛି । ଏହି ବିହାରୀ ଲୁଟେରା ଗ୍ୟାଙ୍ଗ ପୁରୀରେ ୭ଦିନ ରହି ୫୦ଟି ସୁନା ଚେନ ଲୁଟ କରିବା ଲାଗି ଲକ୍ଷ୍ୟ ରଖିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା । ସମ୍ମିଳନୀରେ ଡିଏସ୍‌ପି ବିକେ ହରିପ୍ରସାଦ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ଏବଂ ଶ୍ରୀମନ୍ଦିର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment