ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁଧାକର ପୃଷ୍ଠିଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ । ଘଟଣା ଅନୁସାରେ ଗତ ୨୪.୧୦.୨୦୨୦ ତାରିଖ ଦିନ ନାବାଳିକା ଜଣକ ଫୁଲ ତୋଳିବାକୁ ଗାଁ ସ୍କୁଲକୁ ଯାଉଥିବା ବେଳେ ବରଡିକିଆ ଗ୍ରାମର ସୁଧାକର ନାବାଳିକାର ହାତକୁ ଟାଣି ନେଇ ଦୋକାନ ପାଇଁ ତିଆରି ହେଉଥିବା ଘର ଭିତରକୁ ନେଇ ଜୋର ଜବରଦସ୍ତ କାନ୍ଥକୁ ଆଉଯାଇ ଅସଦାଚରଣ କରିଥିଲା । ଏଥିସହିତ ପିଡିତାର ଛାତିକୁ ଜାବୁଡି ଧରିବା ସମୟରେ ନାବାଳିକା ଜଣକ ତା ହାତକୁ କାମୁଡି ଦେବାରୁ ଛାଡି ଦେଇଥିଲା । ବ୍ରାହ୍ମଣପାଦ ସ୍କୁଲକୁ ଗଲାବେଳେ ରେଫ କରିଦେବି ବୋଲି ପୀଡିତାଙ୍କୁ ଅଭିଯୁକ୍ତ ମଧ୍ୟ ଧମକ ଦେଇଥିଲା । ପରେ ସମସ୍ତ ଘଟଣା ବାପାମାଙ୍କୁ ନାବାଳିକା ଜଣାଇଥିଲା । ପରେ ନାବାଳିକାର ପରିବାର ଚକାପାଦ ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ୫୬/୨୦ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ସୁଧାକରକୁ ଗିରଫ କରି ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୧ ଲକ୍ଷ ୫୦ହଜାର ଟଙ୍କା କ୍ଷତିପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।