ବିଲ୍‌ କରିବାରେ ବିଳମ୍ବକୁ ନେଇ ଅଭାବନୀୟ ଘଟଣା,
ଠିକାଦାରଙ୍କ ଆକ୍ରୋଶର ଶିକାର ହେଲେ ଯନ୍ତ୍ରୀ

ଦଶପଲ୍ଲା : ଠିକାଦାରମାନେ କାମ କରି ଠିକ୍‌ ସମୟରେ ସେମାନଙ୍କ ଅର୍ଥ ନ ପାଇବା କାରଣକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦଶପଲ୍ଲା ଏନ୍‌ଏସି କାର୍ଯ୍ୟାଳୟରେ । କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଯନ୍ତ୍ରୀଙ୍କ ନାମ ସୁବ୍ରତ କୁମାର ମହାପାତ୍ର । ଦଶପଲ୍ଲା ଏନ୍‌ଏସି ଅଞ୍ଚଳ ମଧ୍ୟରେ କିଛି ବିକାଶମୂଳକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ କରିଥିବା ଠିକାଦାରମାନେ ସେମାନଙ୍କ ଟଙ୍କା ପାଇ ନ ଥିଲେ । ଏହାକୁ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶୁକ୍ରବାର ଠିକାଦାରମାନେ ଏକାଠି ହୋଇଥିଲେ । ଏକ ଦାବିପତ୍ର ଦେବା ପାଇଁ ସେମାନେ ସ୍ଥିର କରିଥିଲେ । ସେମାନେ ଆସିବା ଖବର ପାଇ ନିଜ କାର୍ଯ୍ୟାଳୟରେ ଟେଣ୍ଡର କାର୍ଯ୍ୟ କରୁଥିବା ଯନ୍ତ୍ରୀ ସୁବ୍ରତ କାର୍ଯ୍ୟାଳୟରୁ ଯାଇ ଏକ ପାଇଖାନା ରୁମରେ ମଧ୍ୟରେ ଲୁଚିଥିଲେ । ପରେ ଠିକାଦାରମାନେ ଦାବିପତ୍ର ଦେବା ପାଇଁ ଦଶପଲ୍ଲା ଏନ୍‌ଏସି କାର୍ଯ୍ୟାଳୟକୁ ଆସିଥିବା ବେଳେ ଯନ୍ତ୍ରୀ ସୁବ୍ରତଙ୍କୁ ପାଇ ନ ଥିଲେ । ପରେ ଯନ୍ତ୍ରୀ ଲାଟିନ ଭିତରେ ଥିବା ଜାଣି ଠିକାଦାର ସୁଜିତ୍‌ ମିଶ୍ର ଲାଟିନ କବାଟ ଭାଙ୍ଗି ତାଙ୍କୁ ଲାଟିନ ଭିତରୁ ଆଣି ଏନ୍‌ଏସି ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ସୁଜିତ ମିଶ୍ର, ପ୍ରମୋଦ ବେହେରା ଓ ସୂର୍ଯ୍ୟମଣି ଦାସ ତାଙ୍କୁ ମାଡ ମାରିଥିଲେ । ଏହି ମାଡରେ ତାଙ୍କର ବାମ ଆଖିପତାରେ ରକ୍ତ ଜମାଟ ବାନ୍ଧିବା ସହ ମୁଣ୍ଡ ଫାଟି ରକ୍ତ ସ୍ରାବ ହୋଇଥିଲା । ଠିକାଦାର ମାନେ ଏହା ଦେଖି ସେଠାରୁ ଚାଲି ଯାଇଥିଲେ ବୋଲି ଯନ୍ତ୍ରୀ ସୁବ୍ରତ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ପରେ ତାଙ୍କୁ କାଉନସିଲର ସୁଶାନ୍ତ କୁମାର ସିଠ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ବୋଲି ଯନ୍ତ୍ରୀ ସୁବ୍ରତ ପ୍ରକାଶ କରିଥିଲେ । ଦୀର୍ଘଦିନ ଧରି କାମ ସରିଥିଲେ ମଧ୍ୟ ବିଲ୍‌ ନ କରିବା , ବାରମ୍ବାର କାର୍ଯ୍ୟାଳୟକୁ ଡକାଇ ଚାନ୍ଦା ମାଗିବା ଏପରିକି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ତଥ୍ୟ ନ ଦେବା ଓ ଶେଷରେ ଦାବିପତ୍ରକୁ ଫୋପାଡି ଦେବାରୁ ଏଭଳି ଘଟଣା ଘଟିଲା ବୋଲି ଠିକାଦାର ସୂର୍ଯ୍ୟମଣି ଦାସ ପ୍ରକାଶ କରିଥିବା ବେଳେ ଜାଣିଶୁଣି ଆମ ଫାଇଲକୁ କାମ ନ କରିବା ଓ ସଦାସର୍ବଦା ଚାନ୍ଦା ଆଦାୟ ସହ ଆମ ଦାବିପତ୍ର ନ ରଖିବାରୁ ଏଭଳି ଘଟଣା ଘଟିଲା ବୋଲି ସୁଜିତ୍‌ ମିଶ୍ର ପ୍ରକାଶ କରିଛନ୍ତି । ମାତ୍ର ଏହାକୁ ଖଣ୍ଡନ କରି ଯନ୍ତ୍ରୀ ସୁବ୍ରତ କହିଛନ୍ତି ଯେ ସେହି ଠିକାଦାରମାନେ ଯେଉଁ କାମ କରିଥିଲେ, ସେମାନଙ୍କ ଫାଇଲ କାମ ଶେଷ ହୋଇଛି । କେବଳ ଏମଇ ନଥିବାରୁ ବିଲ୍‌ ପାସ ହୋଇ ପାରିନାହିଁ ବୋଲି ସେ ପ୍ରକାଶ କରିବା ସହ ପୂର୍ବରୁ ସୁଜିତ୍‌ ମିଶ୍ରଙ୍କ ନାମରେ ମୋକଦ୍ଦମା କରିଥିବାରୁ ସେମାନେ ଆକ୍ରୋଶ ରଖି ଏଭଳି ଘଟଣା ଘଟାଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ମାତ୍ର ଏହି ଘଟଣାକୁ ଏନ୍‌ଏସି ଅଧ୍ୟକ୍ଷା ନିନ୍ଦା କରିଥିବା ବେଳେ ଘଟଣା ସମ୍ପର୍କରେ ଯନ୍ତ୍ରୀ ସୁବ୍ରତ ମହାପାତ୍ର ଲେଖି ଦେବାପରେ ଠିକାଦାରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ଶ୍ରୀକୁମାର ରଥ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଘଟିବା ପରେ ହେବାକୁ ଥିବା ଏନଏସି ସଭାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ବାତିଲ କରିଦେଇଛନ୍ତି । ମାତ୍ର ଖବର ଲେଖାଯିବା ସୁଦ୍ଧା ଦଶପଲ୍ଲା ଥାନାରେ ଏହି ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ହୋଇ ନ ଥିବା ଦଶପଲ୍ଲା ଥାନା ଆଇଆଇସି ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Comments (0)
Add Comment