ଗରିବ ପିଲାଙ୍କ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର:  ଏଣିକି ପ୍ଲେ ସ୍କୁଲରେ ୨୫ ପ୍ରତିଶତ ସିଟ୍‌ରେ ଅବହେଳିତ ଗରିବ ଶ୍ରେଣୀର ପିଲାଙ୍କୁ ମାଗଣାରେ ପଢ଼ିବାକୁ ସୁଯୋଗ ମିଳିବ । ପ୍ରଥମ ଶ୍ରେଣୀ ସହ ତିନି ବର୍ଷ ବୟସର ପିଲାମାନେ ଘରୋଇ ପ୍ଲେ ସ୍କୁଲରେ ମାଗଣାରେ ନାମ ଲେଖାଇପାରିବେ । ଏହାଦ୍ୱାରା ରାଜ୍ୟର ୬୭ ହଜାର ପିଲା ଉପକୃତ ହେବେ । ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ) ଅନୁସାରେ ଏନେଇ ନିର୍ଦ୍ଦେଶ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।ଗଣଶିକ୍ଷା ବିଭାଗ ଏସଂକ୍ରାନ୍ତରେ ଏକ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛି । ନିର୍ଦ୍ଦେଶ ଅନୁସାରେ ଏଣିକି ୩ ବର୍ଷ ବୟସର ଗରିବ ପିଲାମାନେ ଯେଉଁ ଘରୋଇ ସ୍କୁଲରେ ଚାହିଁଲେ ପ୍ଲେ ଶ୍ରେଣୀରେ ଏବଂ ପାଞ୍ଚ ବର୍ଷରୁ ଅଧିକ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ମାଗଣାରେ ନାମଲେଖାଇ ପାରିବେ । ପ୍ରତ୍ୟେକ ପିଲାଙ୍କ ବୟସ ପ୍ଲେ ସ୍କୁଲ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ ବର୍ଷ ଏବଂ ପ୍ରଥମ ଶ୍ରେଣୀ ପାଇଁ ୫ରୁ ୭ବର୍ଷ ଭିତରେ ହୋଇଥିବା ଆବଶ୍ୟକ ।ଏହା ସହ ଆର୍ଥିକ ଅନଗ୍ରସର କ୍ଷେତ୍ରରେ ମଧ୍ୟ ବିଭାଗ ଅଭିଭାବକମାନଙ୍କ ପାଇଁ ଯୋଗ୍ୟତା ଧାର୍ୟ୍ୟ କରିଛି । ଅଭିଭାବକଙ୍କ ବାର୍ଷିକ ଆୟ ସର୍ବାଧିକ ଏକ ଲକ୍ଷ ୮୦ ହଜାର ଟଙ୍କା ହୋଇଥିଲେ ସେମାନଙ୍କ ପିଲା ଏହି ୨୫% ସଂରକ୍ଷିତ ସିଟ୍‌ରେ ନାମଲେଖାଇପାରିବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । 

Comments (0)
Add Comment