ମାଟ୍ରିକ ପରୀକ୍ଷାରେ ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା, ତାରା ପ୍ରସାଦ ସୁଆର ବାଲିଗୁଡ଼ା ଟପ୍ପର

ବାଲିଗୁଡ଼ା: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାମନ୍ଦିରର ଛାତ୍ର ତାରା ପ୍ରସାଦ ସୁଆର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୯୩.୬ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିବା ସହ ବାଲିଗୁଡା ଉପଖଣ୍ଡରେ ଟପ୍ପର ହୋଇଛନ୍ତି । ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ସନ୍ତୋଷ କୁମାର ସୁଆରଙ୍କ ପୁଅ ତାରା ପ୍ରସାଦ ଏହି ସଫଳତା ଅର୍ଜନ କରିଛନ୍ତି । ତାରା ପ୍ରସାଦଙ୍କ ଏହି ସଫଳତା ନେଇ ପିତା ମାତା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା, ଗୁରୁଜୀ ବେସ୍‌ ଖୁସିବ୍ୟକ୍ତ କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ସନ୍ତୋଷ କୁମାର ସୁଆରଙ୍କୁ ପୁଅର କୃତିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ମାତାପିତା, ଗୁରୁମା ଗୁରୁଜୀ ଓ ଟ୍ୟୁସନ ଶିକ୍ଷକଙ୍କୁ ସଫଳତା ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି ତାରା ପ୍ରସାଦ । ତାରା ପ୍ରସାଦ ଆଗକୁ ଜଣେ ଦକ୍ଷ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ଅଶ୍ୱିନୀ ପାଢ଼ୀ ମଧ୍ୟ ଶତକଡା ୯୧.୫ପ୍ରତିଶତ ନମ୍ବର ରଖି ବିଦ୍ୟାମନ୍ଦିର ସମ୍ମାନ ରଖିଛନ୍ତି । ସେ ଏହି ସଫଳତା ପାଇଁ ସମସ୍ତ ଗୁରୁଜୀ,ଗୁରୁମାଙ୍କ ଆକ୍ରାନ୍ତ ପ୍ରଚେଷ୍ଟା ଓ ନିଜ ବାପା, ମା’ଙ୍କୁ ଶ୍ରେୟ ଦେଇଛନ୍ତି । ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମୁଦାୟ ୪୩ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟା ମନ୍ଦିରର ଫଳାଫଳ ଶତ ପ୍ରତିଶତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ,ଗୁରୁମା ବେସ୍‌ ଖୁସି ଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଆହୁରି ଭଲ ପ୍ରଦର୍ଶନ କରିବାକୁ ଆମେ ପ୍ରଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି ପ୍ରଧାନ ଆଚାର୍ଯ୍ୟ ।

Comments (0)
Add Comment