ବାତ୍ୟା ମୁକାବିଲା ପାଇଁ ପୁରୀ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ : ବାତ୍ୟା ଦାନା ର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ପୁରୀ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଶେଷ କରି ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଗଛ କିମ୍ବା ଇଲେକ୍ଟ୍ରି ପୋଲ୍‌ ଉପୁଡି ପଡିବାର ସମ୍ଭାବନା ଥିବାରୁ ସେଗୁଡ଼ିକ କିଭଳି ତୁରନ୍ତ ସଫା କରାଯାଇ ପାରିବ ସେନେଇ ୬୮ଟି କଟର ମେସିନ୍‌ ମଧ୍ୟ ମହଜୁଦ ରଖାଯାଇଛି । ଆସ୍କା ଲାଇଟ ସାଙ୍ଗକୁ, ଡାକବାଜି ଯନ୍ତ୍ର ମଧ୍ୟ ମହଜୁଦ ରଖାଯାଇଛି । ୨୮ଟି ପାୱାର ଲାଇଟକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେହିପରି ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକମାନେ ଯେଭଳି ସ୍ନାନ ନକରିବେ ସେନେଇ ସଚେତନ କରାଯାଉଛି । ଆଜି ପୁରୀ ଅଗ୍ନିଶମ ସେବା କେନ୍ଦ୍ରରେ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଭାତ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଏକ ମକଡ୍ରିଲ୍‌ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ କିଭଳି ରାସ୍ତା କ୍ଲିଅର ହୋଇପାରିବ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କିଭଳି ତୁରନ୍ତ ହୋଇପାରିବ ସେନେଇ ମକଡ୍ରିଲ୍‌ କରାଯାଇଛି । ସେହିପରି ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ମଧ୍ୟ ରଖାଯାଇଛି । ସମୁଦ୍ର ଭିତରକୁ କେହି ନଯିବା ପାଇଁ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନ କରାଯାଇଥିବା ବେଳେ ସମୁଦ୍ର କୂଳରେ ରେଡ୍‌ ଫ୍ଲାଗ ଜୋନ କରାଯାଇଛି । ତେବେ ଜିଲ୍ଲାରେ ସମୁଦାୟ ୧୨ ଟି ଫାୟାର ଷ୍ଟେସନ ଥିବାବେଳେ ସମୁଦାୟ ସ୍ୱତନ୍ତ୍ର ୧୫ ଟି ଟିମ୍‌ ଗଠନ ହୋଇଛି । ବାତ୍ୟାକୁ ମୁକାବିଲା କରିବା ପାଇଁ ୨୮ ଟି ଆସ୍କା ଲାଇଟ, ୬୮ଟି କଟର ମେସିନ୍‌, ଗୋଟିଏ ପ୍ଲାଜମା କଟର ସହ ଲୁହା କାଟିବା ପାଇଁ ଚାରୋଟି କମ୍ବି ଟୁଲ୍ସ ରହିଛି । ବାତ୍ୟା ଦାନାକୁ ମୁକାବିଲା କରିବା ନେଇ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଥିବେ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଭାତ ରାଉତ କହିଛନ୍ତି ।

Comments (0)
Add Comment