କଂଗ୍ରେସ ଉପରେ ପ୍ରବଳ ବର୍ଷିଲେ ଶାହ

ନୂଆଦିଲ୍ଲୀ- ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ ପ୍ରାପ୍ତ ବନ୍ଦେ ମାତରମର କେବଳ ପ୍ରମୁଖ ୨ଟି ଷ୍ଟାଞ୍ଜା ଗାନ କରିବାକୁ ନିଷ୍ପତ୍ତି ନେଇଛି।
ବାସ୍‌ ଏହାକୁ ନେଇ ଆଜି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ତୁଷ୍ଟୀକରଣ ରାଜନୀତିରେ ମାତିଛି ଓ ଭାରତର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ଅପମାନିତ କରୁଛି। କଂଗ୍ରେସ ପୁଣି ବିଭାଜନର ତ୍ରୁଟିକୁ ଦୋହରାଉଥିବା ଅମିତ ଶାହ ଅଭିଯୋଗ କରିଛନ୍ତି।
ଅମିତ ଶାହ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ୧୯୩୭ରେ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ମୁସଲିମ ତୁଷ୍ଟୀକରଣ ପାଇଁ କଂଗ୍ରେସ ଏପରି କରିଥିବାରୁ ଭାରତ ବିଭାଜନର ମୂଳଦୁଆ ପଡ଼ିଥିଲା ବୋଲି ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି।
ସେ କହିଛନ୍ତି, “ମୁଁ ସମଗ୍ର ଦେଶକୁ ମନେ ପକାଇ ଦେବାକୁ ଚାହୁଁଛି ଯେ ୧୯୩୭ରେ ମୁସଲିମ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଥିଲା। ଏହା ହିଁ ଦେଶ ବିଭାଜନର ମୂଳଦୁଆ ପକାଇଥିଲା ଓ ଦୁଇ ରାଷ୍ଟ୍ର ଥିଓରୀକୁ ମୁଜବୁତ କରିଥିଲା। ଏହାପରେ ଦେଶ ବିଭାଜନ ହୋଇଥିଲା ଓ ପାକିସ୍ତାନ ଜନ୍ମ ନେଇଥିଲା।”

Comments (0)
Add Comment