ଉତ୍ସବ ମୁଖର ସୁବର୍ଣ୍ଣପୁରର ଅଷ୍ଟଚଣ୍ଡୀଙ୍କ ପୀଠ, ତାରା ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

ସୁବର୍ଣ୍ଣପୁର : ସୋନପୁରର ଇଷ୍ଟ ଦେବୀ ମା’ ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ହୋଇଥିବା ବେଳେ ଆଜି ତାରା ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ଦ୍ୱିତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୂଜନମ୍‌ ବିଭିନ୍ନ ଦେବାଦେବୀଙ୍କ ପୂଜାପାଠ ସୁରେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ଆଜି ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ । ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ରର ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା । ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ ମାଁଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ ମାତା ଦୁର୍ଗାଙ୍କର ନବ ଶକ୍ତିର ଦ୍ୱିତୀୟ ସ୍ୱରୂପଟି ହେଉଛି ବ୍ରହ୍ମଚାରିଣୀ । ଏଠାରେ ‘ବ୍ରହ୍ମ’ ଶଦ୍ଦର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥ ତପଃ-ଚାରିଣୀ, ଯେ ତପ ଆଚରଣ କରନ୍ତି, ସେ । କଥିତ ଅଛି, ଦେବସ୍ତତ୍ତ୍ୱଂ ତପୋ ବ୍ରହ୍ମ–ବ୍ରହ୍ମ ଶଦ୍ଦର ଅର୍ଥ ହେଉଛି ବେଦ, ତତ୍ତ୍ୱ ଓ ତପ । ବ୍ରହ୍ମଚାରିଣୀ ଦେବୀଙ୍କର ସ୍ୱରୂପ ପୂର୍ଣ୍ଣ ଜ୍ୟୋର୍ତିମୟ ଓ ଅତ୍ୟନ୍ତ ଭବ୍ୟ । ତାଙ୍କର ଡାହାଣ ହାତରେ ଜପାମାଳା ଓ ବାଆଁ ହାତରେ କମଣ୍ଡଳୁ ଶୋଭାପାଏ । ସହରର ଥନାପତି ପଡା ଓ ଗଡଭିତର ସ୍ଥିତ କନକଦୁର୍ଗା ଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀର ମା’ଙ୍କ ନବରାତ୍ରୀ ପୂଜା ଧୁମଧାମରେ ଚାଲିଛି । ଅଷ୍ଟ ଚଣ୍ଡୀ ପୀଠ ସୁବର୍ଣ୍ଣପୁରରେ ଏବେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଶକ୍ତିପୀଠ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

Comments (0)
Add Comment