ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ ହେଲା ହରିଶଙ୍କର ରୋଡ଼

ପାଟଣାଗଡ଼ : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ୨୫୦୦୦କୋଟି ଟଙ୍କାର ଅନୁଦାନରେ ଭାରତର ୫୦୮ଟି ଷ୍ଟେସନକୁ ନୂଆରୂପରେ ପରିଣତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଟମ ଚିପି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶାରେ ୫୭ଟି ଷ୍ଟେସନ ଏହି ଯୋଜନାରେ ସାମିଲ ହୋଇଥିଲା ବେଳେ ୨୫ଟି ଷ୍ଟେସନକୁ ପ୍ରାଥମିକତା ଦେଇ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ରୋଡ଼ ରେଳ ଷ୍ଟେସନ ଉକ୍ତ ଯୋଜନାରେ ସାମିଲ ହୋଇଛି । ଯାହାକି ୧୬.୬ କୋଟିର ଅନୁଦାନ ଦ୍ୱାରା ହରିଶଙ୍କର ରୋଡ଼ ଷ୍ଟେସନ ଏକ ନୂଆ ରୂପ ପାଇବାକୁ ଯାଉଛି । ତେଣୁ ହରିଶଙ୍କର ରୋଡ଼ ରେଳ ବିଭାଗ ତରଫରୁ ଏକ ବର୍ଣ୍ଣକ୍ଷଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଲାଠୋର ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ, ସିଏସଟି ଉପେନ୍ଦ୍ର ଭୁମିଚ, ଏସଡିଡିଇଇଆର୍‌ କେ ମେହେର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂହଦେଓ ଓଡିଶାକୁ ନରେନ୍ଦ୍ର ମୋଦି ସରକାର ୧୬.୬ କୋଟି ଟଙ୍କାର ରେଳ ଅନୁଦାନ ଦେଇଥିବାରୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଓଡିଶା ବାସୀ ମୋଦିଙ୍କ ସହିତ ରହିବାକୁ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଆହ୍ୱାନ ଦେଇଥିଲେ । ହରିଶଙ୍କର ରୋଡ଼ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଥିଲା ବେଳେ ଲାଠୋର ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ ପ୍ରଧାନମନ୍ତ୍ରୀ ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇବା ସହ ହରିଶଙ୍କର ରୋଡ଼ ଷ୍ଟେସନରେ ତିନୋଟି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ଉପସ୍ଥାପନା କରିଥିଲେ । ଏଥିସହିତ ଲାଠୋର ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡିଆରଏମଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ ।

Comments (0)
Add Comment