ଝରାପଡାବାସୀଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ,ବୁଦ୍ଧିଜୀବୀଙ୍କ ପ୍ରଶଂସା

ସୁବର୍ଣ୍ଣପୁର : ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗାଁକୁ ପହଞ୍ଚିଲେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ଏହି ବସ୍ତିର ଲୋକଙ୍କ ସହିତ ସବୁ ସମସ୍ୟା ଉପରେ ଅନୁଧ୍ୟାନ ଓ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଉପସ୍ଥିତ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ କରିଥିବା ବିଷୟ ଆଜି ଓଡିଶା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳର ସାକ୍ଷାତରେ ପ୍ରତିକ୍ରିୟା ରଖିଥିଲେ । ଜ଼ିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ ଓ ଏହି ଗାଁ ପରିଦର୍ଶନ ବିଷୟକୁ ଅଞ୍ଚଳବାସୀ ଓ ଜ଼ିଲ୍ଲା ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ପୂଜା ଡୁଙ୍ଗୁରି, ଭୀମ ଭୋଇ ସମାଧି ପୀଠ, ମେଟାକାନି, ବାର ପାହାଡ଼, ଇଷ୍ଟ ଦେବ ଶ୍ରୀ ସୁବର୍ଣ୍ଣମେରୁ, ଶ୍ରୀ ରାମେଶ୍ୱର, ଇଷ୍ଟ ଦେବୀ ମା ସୁରେଶ୍ୱରୀ ଆଦି ଜ଼ିଲ୍ଲାର ପ୍ରମୁଖ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଟୁରିଜିମ୍‌ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବା ପ୍ରକାଶ କରିଥିଲେ । ଜିଲ୍ଲାକୁ ମିଳିଥିବା ୮କୋଟି ୪୧ଲକ୍ଷ ଟଙ୍କା ରେ ବିଭିନ୍ନ ଧାର୍ମିକ ସ୍ଥଳ ଓ କମ୍ୟୁନିଟି ସେଣ୍ଟର୍‌ ପାଇଁ ଆସିଥିବା ଅନୁଦାନ ବିଷୟ ଏବଂ ଜ଼ିଲ୍ଲାର ପ୍ରମୁଖ ପାତାଳି ଶ୍ରୀକ୍ଷେତ୍ରର ଭବ୍ୟ ମନ୍ଦିର ନିର୍ମାଣ ବିଷୟରେ ତ୍ୱରାନ୍ୱିତ ପଦକ୍ଷେପ ନେବାସହ ଶୀଘ୍ର ଡିପିଆର୍‌ ପ୍ରସ୍ତୁତ ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ଏହା ସହିତ ବହୁ ପ୍ରାଚୀନ ବୈଦ୍ୟନାଥର କୋଶଳେଶ୍ୱର ଶୈବ ପୀଠର ପୁନଃରୁଦ୍ଧାର ବିଷୟରେ ଗୁରୁତ୍ୱ ଦେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା ପାଇଁ ଜ଼ିଲ୍ଲାପାଳଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏହି ପ୍ରତିନିଧି ଦଳରେ ସଂଘ ଉପଦେଷ୍ଟା ଦିଲ୍ଲୀପ ପାତ୍ର, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସଂପାଦକ ମହାଦେବ ମଲ୍ଲିକ , ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ, ଭାସ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment