ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡି ୪ ଛାତ୍ରଙ୍କ ମୃତ୍ୟୁ । ମଙ୍ଗଳବାର ଦୁଇ ଜଣଙ୍କ ମୃତଦେହ ମିଳିଥିବା ବେଳେ ବୁଧବାର ସକାଳୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ କଟକ ମାଲଗୋଦାମ ଅଞ୍ଚଳର ପ୍ରତୀକ ଓ ବାଲେଶ୍ୱରର ରୋହିତ ଧଳ ସାମନ୍ତ ।
ମଙ୍ଗଳବାର କଟକ ଯୋବ୍ରାର କୁମାର ଅବିନାଶ ଏବଂ ଜାମସେଦପୁରର ଆରିଆନ୍ଙ୍କ ମୃତଦେହ ମିଳିଥିଲା । ଗତକାଲି ସଂଧ୍ୟାରେ ଧବଳାହାର ନିକଟ କୁଆଖାଇ ନଦୀକୁ ଏକ ଘରୋଇ କଲେଜର ୯ ଛାତ୍ର ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ୨ ଜଣ ନଦୀର ଗଭୀର ଗଣ୍ଡରେ ବୁଡ଼ିଯାଇଥିଲେ । ଏହି ୨ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଛାତ୍ର ନଦୀ ଭିତରକୁ ଯାଇଥିଲେ । ମାତ୍ର ସେଠାରେ ସେମାନେ ମଧ୍ୟ ବୁଡ଼ି ଯାଇଥିଲେ । ଜଣେ ନଦୀରୁ ନିଜ ଜୀବନ ବଞ୍ଚାଇ ଫେରି ଆସିବାରେ ସକ୍ଷମ ହୋଇଥିଲେ । ଗତ ୫ ବର୍ଷ ମଧ୍ୟରେ ନଦୀରେ ବୁଡି ୨୭ ଜଣଙ୍କର ଜୀବନ ଯାଇଛି ।