ପୁରୀ : ସବୁ ଚର୍ଚ୍ଚାର ଅନ୍ତ ହୋଇଛି । ବିଜେଡ଼ିର ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି । ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲରେ ଏକ ହୋଟେଲରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ସମ୍ପର୍କୀୟ ଓ ଅତି ପାଖ ଲୋକ । କୌଣସି ନେତା କି ମନ୍ତ୍ରୀ ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇ ନାହାନ୍ତି । ଅତି ନିରାଡମ୍ବର ଭାବେ ଏହା ଅନୁଷ୍ଠିତ ହୋଇଛି ।
କିଛି ଦିନ ହେଲା କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି । କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଏହା ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ଦିବ୍ୟଶଙ୍କରଙ୍କର ଗୋଟିଏ ପୁଅ ଅଛି । ସେ ବିଦେଶରେ ପାଠ ପଢୁଥିବା ଜଣାପଡିଛି ।