ପାରଳାଖେମୁଣ୍ଡି : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଜପତି ଜିଲ୍ଲାକୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୬୮ ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଗଜପତି ଜିଲ୍ଲା ସମେତ ଓଡ଼ିଶାର ୧୯ ଗୋଟି ଜିଲ୍ଲାକୁ ସମ୍ମାନିତ କରାଯାଇଛି । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଆଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବୀରେଦ୍ର କୁମାର ଦାସ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଗଜପତି ଜିଲ୍ଲାର ଭୂମି ସଂସ୍କାର ନିମନ୍ତେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଜମି ପଟ୍ଟାର କମ୍ପ୍ୟୁଟରୀକରଣ, ଜମି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ଼ ରୁମ ପରିଚାଳନା ଓ ଜମିଜମା କାଗଜ ପତ୍ରର ସ୍କାନିଂ ଏବଂ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଗଜପତି ଜିଲ୍ଲାର ୭ଗୋଟି ତହସିଲରେ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ଏହି ସମ୍ମାନ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଦାନ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଉପସ୍ଥିତ ଥିଲେ ।