ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ସୁବର୍ଣ୍ଣପୁର : ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ସୁବର୍ଣ୍ଣପୁର ପୌର ପରିଷଦର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳର ଢେରାପଡା ସ୍ଥିତ ନୂଆବନ୍ଧ ଓ ପଟାଭାଡି ଠାରେ ଥିବା ଗୋବିନ୍ଦ ବନ୍ଧ ଦ୍ୱୟକୁ ୩ କୋଟି ୩ ଲକ୍ଷ ଅର୍ଥ ଅନୁଦାନ ବ୍ୟୟରେ ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସହର ତଥା ସହରକୁ ଆସୁଥିବା ଜନସାଧାରଣ ଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସୂଚନା ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମର ଏଲ୍‌ଇଡି ବୋର୍ଡ ମାଧ୍ୟମରେ ତଥ୍ୟ ର ଉପଲବ୍ଧତା ନିମନ୍ତେ ସହରର ଜନ ଗହଳିପୂର୍ଣ୍ଣ ନଳିନିଛକ ଓ ବ୍ଲକ ଛକ ଠାରେ ୨୪ଲକ୍ଷ ଅର୍ଥ ଖର୍ଚ୍ଚ ରେ ଦୁଇଟି ପୃଥକ ପୃଥକ ଏଲଇଡି ଡିଜିଟାଲ ବୋର୍ଡର ଲୋକାର୍ପଣ କରିଛନ୍ତି ମାନ୍ୟବର ମନ୍ତ୍ରୀ । ସେହିପରି ସହରର ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ ବୁଢାରଜା ଓ କୁଞ୍ଜ ଛକ ଠାରେ ଲୋକଙ୍କ ଯିବା ଆସିବାକୁ ସୁଗମ,ସହଜ ତଥା ବ୍ୟବସ୍ଥିତ କରିବାକୁ ୨୦ ଲକ୍ଷ ଟଙ୍କା ବିନିମୟରେ ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ଆଲୋକୀକରଣ ବ୍ୟବସ୍ଥାର ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି । ପୁନଶ୍ଚ ସହରର ଉଠା ଦୋକାନୀଙ୍କ ଥଇଥାନ ନିମନ୍ତେ ବ୍ଲକଛକ ଠାରେ ୧୨.୫ ଲକ୍ଷ ଟଙ୍କା ବିନିଯୋଗରେ ସୁବ୍ୟବସ୍ଥିତ ଭେଣ୍ଡିଙ୍ଗ ଜୋନର ଲୋକାର୍ପଣ କରିବା ସହ ପଟାଭାଡି ୱାର୍ଡ ନଂ ୧୦ ରେ ଅଞ୍ଚଳର ବୟସ୍କ, ଶିଶୁ ତଥା ସର୍ବ ସାଧାରଣଙ୍କ ମନୋରଞ୍ଜନ ଓ ଭ୍ରମଣ ନିମନ୍ତେ ୨୨ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ଏକ ମିନିପାର୍କର ଲୋକାର୍ପଣ କରିଛନ୍ତି । ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ,ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ସମସ୍ତ କାଉନସିଲର, ପୌରପରିଷଦ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଁ ମାନେ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସହରର ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Comments (0)
Add Comment