ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ସରକାରଙ୍କୁ ପ୍ରଶଂସା କଲା ନିଖିଳ ଉତ୍କଳ ଓଡ଼ିଶୀ ସଙ୍କୀର୍ତ୍ତନ ମହାସଂଘ

ପୁରୀ : ନିକଟରେ ରାଜ୍ୟ ସରକାର ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । କଳାକାର ଓ କଳାକୁ ଆଗକୁ ବଢ଼ିବାରେ ଏହା ନିଶ୍ଚିନ୍ତ ପ୍ରେରଣା ଯୋଗାଇବା । ତେଣୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛି ନିଖିଳ ଉତ୍କଳ ଓଡ଼ିଶୀ ସଙ୍କୀର୍ତ୍ତନ ମହାସଂଘ । ଏ ନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶଶାଙ୍କ ଚୂଡାମଣି ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସଙ୍କୀର୍ତ୍ତନ କଳାକାରଙ୍କ ମାସିକ ଭତ୍ତା ୧୨୦୦ ରୁ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ନିବେଦନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଦୀର୍ଘ ଦିନର ଦାବିକୁ ସରକାର ବିଚାରକୁ ନେଇ ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । କିନ୍ତୁ କଳାକାରଙ୍କ ଭତ୍ତା ବୃଦ୍ଧି ପାଇଁ ଯଥାଶୀଘ୍ର ବିଚାର କରିବେ ବୋଲି ଆମେ ଆଶାବାଦୀ ଅଛୁ । ଶ୍ରୀଜଗନ୍ନାଥ ସଂସ୍କୃତି ଐତିହ୍ୟ ଓ ପରମ୍ପରାର ପ୍ରଚାର ପାଇଁ ସରକାର ଯେଉଁ ନିଷ୍ପତି ନେଉଛନ୍ତି ବାସ୍ତବିକ୍‌ ତାହା ପ୍ରଶଂସନୀୟ ।ଶ୍ରୀକ୍ଷେତ୍ର ହେଉଛି ଓଡ଼ିଆ ଜାତିର ଅନ୍ୟତମ ପ୍ରମୁଖ ପରିଚୟ । ଏହାର ବିକାଶ ପାଇଁ ସରକାର ଯେଉଁ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେଥିପାଇଁ ମହାସଂଘ ପକ୍ଷରୁ ଧନ୍ୟବାଦ୍‌ ଜ୍ଞାପନ କରାଯାଇଛି ।ପୁରୀ ହେଉଛି ଏକ ତୀର୍ଥ କ୍ଷେତ୍ର । ଏହାର ବିକାଶ ତୀର୍ଥ ଆଧାରିତ ହେଉ ।ଶ୍ରୀମନ୍ଦିର ସେବାୟତ ମାନଙ୍କ ଯୁଗ ଯୁଗର ଅନୁଭୂତି ଓ ଉପଲବ୍ଧିକୁ ବିକାଶ ପ୍ରକ୍ରିୟାରେ ସାମିଲ କରାଯାଇ ଶ୍ରୀକ୍ଷେତ୍ରର ମହିମା ପ୍ରସାରରେ ସେମାନଙ୍କ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ମିଳୁ । ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡ଼ିତ ମଠ,ମନ୍ଦିର ଓ ପୀଠର ସମନ୍ୱିତ ବିକାଶ କରାଯାଉ । ଶ୍ରୀମନ୍ଦିର ସମ୍ପତି ଓ ରତ୍ନ ଭଣ୍ଡାରର ସୁରକ୍ଷା ଦାବି କରିଛି ମହସଂଘ । ଜିଲ୍ଲାର ସଦର ମହକୁମା ଓ ରାଜ୍ୟ ରାଜଧାନୀରୁ ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା,ବ୍ଲକ୍‌ ଓ ସବ ଡିଭିଜନରେ ନିର୍ମିତ କଲ୍ୟାଣ ମଣ୍ଡପ,ନାଟ୍ୟମଣ୍ଡଳ ,ସଭାଗୃହକୁ ଲୋକକଳାର ଶ୍ରେଷ୍ଠ ଗୁରୁଙ୍କ ନାମରେ ନାମିତ କରାଯାଉ ବୋଲି ସୂଚନା ଦିଆଯାଉଛି । ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଗବେଷଣା ଜଗନ୍ନାଥ କୈନ୍ଦ୍ରିକ ହେଉ ଓ ଲୋକକଳାର ପ୍ରତିଭାଙ୍କ ନାମରେ ଗବେଷଣା ଚେୟାର ପ୍ରତିଷ୍ଠା କରିବାକୁ ମହାସଂଘର ସଭାପତି ଦାବୀ କରିଛନ୍ତି । ପୂର୍ବ ସମୟରେ ସଙ୍କୀର୍ତ୍ତନ ଲୋକକଳା ହିଁ ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଓଡ଼ିଆ ପରମ୍ପରାର ପ୍ରଚାର,ପ୍ରସାରର ମୁଖ୍ୟ ମାଧ୍ୟମ ଥିଲା ।

Comments (0)
Add Comment