ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

ହରଭଙ୍ଗା : ରାଜ୍ୟର ଅନ୍ୟତମ ଅନୁନ୍ନତ ଜିଲ୍ଲା ରୂପେ ପରିଚିତ ବୌଦ୍ଧ ଜିଲ୍ଲାରେ ଯୋଗାଯୋଗର ବିକାଶ ପାଇଁ ଗ୍ରହଣ କରାଯାଇଛି ବ୍ୟାପକ ପଦକ୍ଷେପ । ସଂକୀର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ ଓ ସେତୁ ନିର୍ମାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ବୌଦ୍ଧ ଉପକଣ୍ଠରେ ମହାନଦୀ ଉପରେ ଏକ ସୁଦୀର୍ଘ ସେତୁ ନିର୍ମିତ ହୋଇଥିବା ବେଳେ ହରଭଙ୍ଗା-ଧଳପୁର ରାସ୍ତାର ଖରଶଙ୍ଖୁଲେଇ ଠାରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବୌଦ୍ଧ ଜିଲ୍ଲାରେ ମହାନଦୀ ଉପରେ ଏହା ହେଉଛି ଦ୍ୱିତୀୟ ସେତୁ । ନାବାର୍ଡ ସହାୟତାରେ ୧୬୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ସେତୁ ଏବଂ ଆପ୍ରୋଚ ରୋଡ଼ କାମ ସମ୍ପୂର୍ଣ୍ଣ ହୋଇ କେବଳ ଲୋକାର୍ପଣ ଅପେକ୍ଷାରେ ରହିଛି । ଆଜକୁ ତିନିମାସ ତଳେ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ଏହି ୩ କିଲୋମିଟର ୩୨ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁର ଉଦଘାଟନକୁ ଅଂଚଳବାସୀ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ଉଭୟ ପାର୍ଶ୍ୱର ଫୁଟପାଥ ( ପାଦଚଳା ରାସ୍ତା ) କୁ ମିଶାଇ ସେତୁର ଓସାର ସାଢେ ଏଗାର ମିଟର ଏବଂ ନଦୀ ଭିତରେ ସେତୁର ୫୯ ଟି ପିଲର ଥିବାବେଳେ ନଦୀ ବାହାରେ ୨୮ ଟି ପିଲର ରହିଛି । ବୌଦ୍ଧ, ପୁରୁଣା କଟକ ଓ ହରଭଙ୍ଗା ପଟୁ ଏହି ସେତୁକୁ ସଂଯୋଗକାରୀ ରାସ୍ତା ରହିଛି । ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥ ଠାରୁ ଧଳପୁର-ଆଠମଲ୍ଲିକ ସେତୁକୁ ସଂଯୋଗ କରିବା ପାଇଁ ୧୧ କିଲୋମିଟର ୩୨୮ ମିଟର ନୂତନ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଏହାର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ପୂର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯିବ । ଏଥିପାଇଁ ୯୨ ଏକର ଜମି ଅଧିଗ୍ରହଣ କରାଯିବାର ପ୍ରସ୍ତାବ ରହିଛି । ଅତ୍ୟାଧୁନିକ ନିର୍ମାଣ କୌଶଳର ଉପଯୋଗ କରାଯାଇ ନିର୍ମିତ ହୋଇଛି ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ । ଇତିମଧ୍ୟରେ ରାଜ୍ୟ ପୂର୍ତ୍ତମାନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ମନୋରଞ୍ଜନ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଶ୍ୱ ବ୍ୟାଙ୍କର ମୁଖ୍ୟଯନ୍ତ୍ରୀ ପ୍ରମୁଖ ଏହି ସେତୁ ପରିଦର୍ଶନ କରିବା ସହ ସେତୁ ନିର୍ମାଣକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ବୌଦ୍ଧର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ପ୍ରକାଶ କରିଛନ୍ତି ଯେ ସେତୁର ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କେବଳ ଆନୁଷ୍ଠାନିକ ଭାବରେ ଉଦଘାଟନକୁ ଅପେକ୍ଷା । ଉଲ୍ଲେଖଯୋଗ୍ୟ ଯେ ଏହି ସେତୁ ନିର୍ମାଣ ପାଇଁ ଅନେକ ଦିନରୁ ଦାବୀ ହୋଇଆସୁଥିଲା । ଏବେ ତାହା ପୂରଣ ହୋଇଛି । ଏହି ସେତୁ ନିର୍ମାଣ ହେବା ଫଳରେ ସମ୍ବଲପୁର, ଅନୁଗୁଳ, କଟକ ଓ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ଗମନାଗମନରେ ସୁବିଧା ହେବା ସହ ଦୂରତା ହ୍ରାସ ପାଇବ ।

Comments (0)
Add Comment