ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ପିଏମ କହିଲେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଫ୍ଲାଗ୍‌ ଅଫ୍‌ କରିଛନ୍ତି । ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କହିଲେ- ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ମିଳିଲା । ଏହି ଟ୍ରେନ୍‌ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢେ ୬ ଘଣ୍ଟା ହୋଇଯିବ । ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ । ଏହାଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବି ବଢ଼ିବ ।
ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ଓଡିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାବ୍ୟତୀତ ଓଡିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ଉତ୍ସବରେ ପୁରୀ ବାସୀଙ୍କ ସମେତ ବିଭିନ୍ନ ଦଳର ରାଜନେତା ମଧ୍ୟ ଉପସ୍ଥିତ ଥିଲେ । ଟ୍ରେନ ଗଡିବା ସମୟରେ ସମସ୍ତ ଜନସାଧାରଣଙ୍କ ମନରେ ବେଶ ଖୁସି ଦେଖିବାକୁ ମିଳିଥିଲା ।
ଆଜି ଅପରାହ୍ନ ଗୋଟାଏ ୧୬ ମିନିଟ ସମୟରେ ଟ୍ରାକ ଉପରେ ଗଡିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ । ଓଡିଶାରେ ରେଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା ଯୋଗୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହାଛଡା କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ ଆଉ ଦୁଇଟି ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଲାଗି ଦାବି କରିଥିଲେ । ଏହାଛଡା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଦାବିକୁ ପୁଣି ଦୋହରାଇଥିଲେ । ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କରାଯାଉ, ଆଗାମୀ ୩/୪ ବର୍ଷ ଭିତରେ ଏହି ଏୟାରପୋର୍ଟର କାମ ଶେଷ ହେଉ । ନିଜେ ପ୍ରଧାନମନ୍ତ୍ରୀ ପୁରୀ ବିମାନବନ୍ଦରର ଲୋକାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ।
ବନ୍ଦେ ଭାରତ ଟ୍ରେନ ଟ୍ରାକରେ ଗଡିବା ସମୟରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପୁରୀ ରେଲୱେ ଷ୍ଟେସନ । ପ୍ରତିଦିନ ହଜାର ହଜାର ବଙ୍ଗୀୟ ପର୍ଯ୍ୟଟକ ପୁରୀ ଆସୁଛନ୍ତି । ଗୋଟେ ରାଜ୍ୟକୁ ଆଉ ଗୋଟେ ରାଜ୍ୟକୁ ସରଲିକରଣ କରିବା ପାଇଁ ଏହି ଟ୍ରେନକୁ ଲୋକାର୍ପଣ କରାଯଇଛି । ମେ ୨୦ତାରିଖ ପରେ ସପ୍ତାହକୁ ୬ ଦିନ ଟ୍ରେନ ଗଡିବା ନେଇ ସ୍ଥିର ହୋଇଛି । ଟ୍ରେନରେ ବସିଥିବା ଯାତ୍ରୀ ମାନେ ସମସ୍ତ ପ୍ରକାର ସୁବିଧା ପାଇବା ନେଇ ବେଶ ଖୁସିବ୍ୟକ୍ତ ହୋଇଛନ୍ତି ।

Comments (0)
Add Comment