ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସହର ମଧ୍ୟରେ ଅବସ୍ଥିତ ମଧୁସୂଦନ ପାର୍କ (ଶିଶୁ ଉଦ୍ୟାନ) ଦୀର୍ଘ ବର୍ଷ ବ୍ୟବଧାନ ପରେ ଆଜି ଖୋଲିଲା । କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅନୁରୋଧ କ୍ରମେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଏହି ପାର୍କ ଖୋଲିବା ପାଇଁ ଦୃଢ ପଦକ୍ଷେପ ନେଇ ଥିବାରୁ ତାହା ସମ୍ଭବ ହୋଇ ପାରିଥିଲା । ଏହି ଅବସରରେ ପୌରାଧ୍ୟକ୍ଷା, ବହୁ ବରିଷ୍ଠ ନାଗରିକ ଓ ଶିଶୁମାନେ ଉପସ୍ଥିତ ଥିଲେ । ପ୍ରଥମେ ବରିଷ୍ଠ ନାଗରିକ ପୌରାଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୌରାଧ୍ୟକ୍ଷା ମଧୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶିଶୁମାନେ ପାର୍କ ବୁଲି ଉଦ୍ୟାନର ବହୁତ ମଜା ଉଠାଇଥିଲେ । ଶେଷରେ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ଆୟୋଜିତ ବିସ୍କୁଟ, ଚକୋଲେଟ୍ ପୌରାଧ୍ୟକ୍ଷା ଶିଶୁ ମାନଙ୍କୁ ବଣ୍ଟନ କରିଥିଲେ । ପୌରାଧ୍ୟକ୍ଷା ମଧ୍ୟ ବରିଷ୍ଠ ନାଗରିକ ମାନଙ୍କର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଆଜିଠାରୁ ଏହି ଶିଶୁ ଉଦ୍ୟାନ ସନ୍ଧ୍ୟା ସମୟରେ ପିଲାମାନଙ୍କ ପାଇଁ ସବୁଦିନ ଖୋଲା ରହିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ମାନଙ୍କ ଏହି ମହତ କାର୍ଯ୍ୟ ପାଇଁ କର୍ମକର୍ତ୍ତାଙ୍କ ସମେତ ଉପସ୍ଥିତ ଅଭିଭାବକ ମାନେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଙ୍ଘର ସଭାପତି କମଳା କାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ, ପରେଶ ମହାପାତ୍ର,ପିତାମ୍ବର ମିଶ୍ର,ରବିନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।