ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଦୁଃଶାସନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରି ବାଜା ବାଣ, ହୁଳହୁଳି ଦେଇ ହୀର୍ଲି ଗ୍ରାମର କନ୍ୟା ଘରକୁ ବର ଯାତ୍ରୀ ଧରିଯାଇଥିଲେ । ସେଠାରେ ବରଯାତ୍ରୀ ଗାଡି ଡିଜେ ବାଜା ଗାଡିକୁ ଧକ୍କା ଦେଇଥିଲା । ଫଳରେ ନାଚୁଥିବା ଲୋକଙ୍କ ଉପରେ ଗାଡିଟି ମାଡି ଯାଇଥିଲା । ଫଳରେ ଏଥିରେ ୧୧ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ଅନ୍ୟ ଗୁରୁତର ଆକାଶ ବରିହା, ଗୁଡୁ ବରିହା , ଜୁନେନ୍ ବରିହା ଓ ଅନ୍ୟ ମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପାଟଣାଗଡ ଓ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡ଼ିଛି । ଏହା ସହ ଖପ୍ରାଖୋଲ ପୋଲିସ ମୃତ ଶବକୁ ଜବତ କରି ଗାଡି ଚାଳକ ଦୁର୍ଯ୍ୟୋଧନ ନାଗଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।