ଆର୍‌ଆର୍‌ କଳୋନୀ ତିଆରି ପାଇଁ ରାମପାଲିରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ପାଟଣାଗଡ଼: ପାଟଣାଗଡ଼ ଏନ୍‌ଏସି ଅଧିନରେ ଥିବା ୭ ନମ୍ବର ୱାର୍ଡ ରାମପାଲିରେ ଆରଆର କଳୋନୀ ତିଆରି କରାଯିବାକୁ ନେଇ ସେହି ୱାର୍ଡରେ ଥିବା ସରକାରୀ ଜମି ଗୁଡିକରେ ଜବରଦଖଲ କରି ଘର ତିଆରି କରିଥିବା ପରିବାରକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ଏହି ୱାର୍ଡରେ ୧୭ ଜଣ ପରିବାର ସରକାରୀ ଜମିକୁ ଦୀର୍ଘ ବର୍ଷରୁ ଜବରଦଖଲ କରି ଘର ମାନ ତିଆରି କରି ରହି ଆସୁଥିଲେ ।ଆଗାମୀ ଦିନରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ସରକାରୀ ଜାଗାରେ ଆରଆର କଳୋନୀ ତିଆରି ହେବାର ସ୍ଥିରିକୃତ କରାଯାଇଛି । ସେଥିପାଇଁ ଉକ୍ତ ସରକାରୀ ଜାଗାରେ ଘର କରି ରହୁଥିବା ପରିବାରକୁ ପ୍ରଶାସନ ପକ୍ଷରୁ ପୂର୍ବରୁ ନୋଟିସ ମାଧ୍ୟମରେ ଘର ଛାଡିବାକୁ ଅବଗତ କରାଯାଇଥିବା ସହ ଡାକବାଜୀ ଯନ୍ତ୍ରୀ ମାଧ୍ୟମରେ ମଧ୍ୟ ଜଣାଇ ଦିଆଯାଇଥିଲା । କିନ୍ତୁ ଜବରଦଖଲକାରୀ ମାନେ ଘରଛାଡିବାକୁ ନାରାଜ ଥିଲେ ।

ଗତକାଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରୀ ମହନ୍ତ ଓ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଉକ୍ତ ପଡ଼ାକୁ ଯାଇ ସେହି ପରିବାର ଗୁଡ଼ିକ ସହିତ ଆଲୋଚନା ମଧ୍ୟ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଥାନା ଅଧିକାରୀ ସେଠାରୁ ଫେରିବା ପରେ ଉକ୍ତ ପରିବାରର ସଦସ୍ୟମାନେ ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ତାଙ୍କର ଥଇଥାନ ପରେ ଘର ଭାଙ୍ଗିବାକୁ ଦାବୀ କରିଥିଲେ । କିନ୍ତୁ ପ୍ରଶାସନ ସେମାନଙ୍କ କଥାକୁ ଶୁଣିନଥିବା ବେଳେ କେବଳ ଯେଉଁମାନେ ଏଲଆରସି ପାଇଛନ୍ତି ସେମାନଙ୍କୁ ଛାଡି ବାକିତମ ପରିବାରମାନଙ୍କୁ ଜେସିବି ଲଗାଇ ପୁଲିସ ଓ ମାଜିଷ୍ର୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲ ଲକ୍ଷଣ ମାଝୀଙ୍କ ଉପସ୍ଥିତିରେ ଆଜି ଉଚ୍ଛେଦ କରାଯାଇଛି । ଦୀର୍ଘ ବର୍ଷରୁ ଏହି ୧୭ ଜଣ ପରିବାର ନିଜ ପିଲାଛୁଆଙ୍କୁ ଧରି ଏଠାରେ ଏ ଘରତିଆରି କରି ରହିଆସୁଥିଲେ ।

ତାଙ୍କ ଆଖି ସମ୍ମୁଖରେ ଧାରକରଜ କରି ତିଆରି କରିଥିବା ଘ ଜେସିବି ଭାଙ୍ଗୁଥିବା ଦେଖି ନିରୁପାୟ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଆମ୍ଭେମାନେ ଏହି ଶୀତ କାକର ମାସରେ ଛୋଟଛୋଟ ଛୁଆକୁ ଧରି କେଉଁଆଡେ ଯିବୁ ବୋଲି ଛାତି ପିଟିହୋଇ କାନ୍ଦୁଥିବା ସହ ଉପସ୍ଥିତ ପ୍ରଶାସନ ଅଧିକାରୀ ମାନଙ୍କୁ ତାଙ୍କର ଥଇଥାନ ପାଇଁ କାନ୍ଦି କାନ୍ଦି ଗୁହାରୀ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Comments (0)
Add Comment