ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍ରେ ଏହାକୁ ଉଦଘାଟନ କରିବେ । ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୁଜିଏଚଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ଡି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓ ଏଭି ଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରାଖୋଲ ୭ଟି ଯାକ ହାଇସ୍କୁଲର ବିଭିନ୍ନ କାର୍ଯ୍ୟ ସବୁ ସରିଥିବା ଚକାପାଦ ବିଡିଓ ଅନୀଲ ପଟ୍ଟନାୟକ କହିଛନ୍ତି । ଶଙ୍କରାଖୋଲ ହାଇସ୍କୁଲଠାରେ ଆସନ୍ତା ୩ ତାରିଖ ଶୁକ୍ରବାର ଦିନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁୁଆଲ ମୋଡରେ ଚକାପାଦ ସମେତ ଜିଲ୍ଲାର ସମସ୍ତ ୭୩ଟି ଯାକ ହାଇସ୍କୁଲ ଉଦଘାଟନ କରିବେ । ଏସବୁ ହାଇସ୍କୁଲର ରୂପାନ୍ତରୀଣ କାର୍ଯ୍ୟ ସମ୍ପୃକ୍ତ ବ୍ଲକ ବିଡ଼ିଓ ଓ ଯନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପର ଉଦ୍ୟମ ସାଙ୍ଗକୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଶ୍ ଉଚ୍ଚମାନର ହୋଇଥିବା ଜଣାପଡିଛି । ସେହିପରି ଜିଲ୍ଲାପାଳ ଡା. ବୃନ୍ଦା ଡି ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ୱରଞ୍ଜନ ନାଏକ ପ୍ରମୁଖ ନିୟମିତ ସ୍ମାର୍ଟ ସ୍କୁଲ କାର୍ଯ୍ୟ ତଦାରଖ କରିଆସୁଥିଲେ ।
ଶଙ୍କରାଖୋଲଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁରଙ୍କ ସମେତ ଜିଲ୍ଲାପାଳ ଡା. ବୃନ୍ଦା ଡି. ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ୱରଞ୍ଜନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବରିଷ୍ଠ ପ୍ରଶାସନିକ ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେବେ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା । ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟା, ଆନ୍ତରିକ ଉଦ୍ୟମ ଯୋଗୁଁ ଏସବୁ କାର୍ଯ୍ୟ ସମ୍ଭବ ହୋଇଛି ।
ସରକାରଙ୍କ ରୂପାନ୍ତୀକରଣ କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ, ଶୈଖିକ ବାତାବରଣ ଛାତ୍ରଛାତ୍ରୀ ପାଇବେ ବୋଲି ବିଡ଼ିଓ କହିଛନ୍ତି । ଚକାପାଦ ବ୍ଲକର ୭ଟି ହାଇସ୍କୁଲ ରୂପାନ୍ତରୀକରଣରେ ସାମିଲ ହୋଇଥିବା ବେଳେ ଫୁଲବାଣୀ ବ୍ଲକରେ ୬ଟି, ଖଜୁରୀପଡ଼ାର ୬ଟି, ଫିରିଙ୍ଗିଆର ୮ଟି, ରାଇକିଆର ୬ଟି, ଜି. ଉଦୟଗିରିର ୬ଟି, ଦାରିଙ୍ଗବାଡିରେ ୭ଟି, ବାଲିଗୁଡାରେ ୬ଟି, ତୁମୁଡ଼ିବନ୍ଧରେ ୫ଟି, କୋଟଗଡ଼ରେ ୬ଟି, କ.ନୂଆଗାଁରେ ୫ଟି, ଟିକାବାଲିରେ ୫ଟି ଏହିପରି ମୋଟ୍ ୭୩ଟି ହାଇସ୍କୁଲ ଉଦଘାଟନ ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।