୮ରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ : ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତ୍ରୁଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ସୂର୍ଯ୍ୟେଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁନଶ୍ଚ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ୱତନ୍ତ୍ର ନୀତି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ୮ତାରିଖ ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟି ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ନୁହେଁ ବୋଲି ସୂଚନା ମିଳିଛି । ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତି କାନ୍ତି କିଭଳି ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ନିଯୋଗ ସହିତ ଆଲୋଚନା କରାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment