ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଦ୍ୱାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଡାକ୍ତରଖାନା ପରିସରରେ ଗ୍ରାମବାସୀ ଓ ପରିବାର ଲୋକ ପ୍ରତିବାଦ କରିଥିଲେ । ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଅନୀଲ ବିଷୋୟୀଙ୍କ ପୁଅ ଆୟୁଷର ରାତିରେ ପେଟ କାଟିବାରୁ ପରିବାର ଲୋକେ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ନ ଥିବାରୁ ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଡାକ୍ତର ନଥିବାରୁ ନର୍ସଙ୍କ ଦ୍ୱାରା ଚିକିତ୍ସା ଚାଲିଥିବା ସମୟରେ ଆୟୁଷଙ୍କ ମୃତ୍ୟୁ ଘଟି ଥିବା କଥା ଆୟୁଷଙ୍କ ବାପା ଅଭିଯୋଗ କରିଛନ୍ତି । ମୃତଦେହ ରଖି କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀ ଓ ପରିବାର ଲୋକେ ପ୍ରତିବାଦ କରିଥିଲେ । ଅନ୍ୟ ପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି ସିଡ଼ିଏମ୍‌ ଓ ଗଣମାଧ୍ୟମକୁ ସୂଚନା ଦେଇଥିବାର ଜଣାପଡ଼ିଛି ।

Comments (0)
Add Comment