ଗଞ୍ଜାମ/ବ୍ରହ୍ମପୁର: ଲେଖକଟିଏ ବିବେକର ତାଡ଼ନାରେ ଲେଖେ । ଜୀବନର ପ୍ରତିକୂଳ ପରିସ୍ଥିତି ସହିତ ଲେଖକ ପ୍ରତି ମୁହୂର୍ତ୍ତରେ ଯୁଝୁଥାଏ । ଦୃଶ୍ୟମାନ୍ ଓ ଦୃଶ୍ୟାତୀତ ଅନୁଭବର ଅନ୍ତରଙ୍ଗ କଥାକୁ ଗାଳ୍ପିକ କଥାରୂପ ଦିଏ ବୋଲି ସୁଖ୍ୟାତ କଥାଶିଳ୍ପୀ ରମେଶ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ‘ଗାଳ୍ପିକ ଦେବରାଜ ସାହୁ ସ୍ମୃତି ସମାରୋହ’ରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଦେବରାଜ ସାହୁଙ୍କୁ ଜଣେ ପ୍ରତିବଦ୍ଧ ଗାଳ୍ପିକ ରୂପେ ବର୍ଣ୍ଣନା କରିଥିଲେ । ଉତ୍ତର ସତୁରୀ ଆଧୁନିକ ଓଡ଼ିଆ କଥା ସାହିତ୍ୟକୁ ଯେଉଁ କେତେ ଜଣ କଥାସ୍ରଷ୍ଟା ସ୍ୱକୀୟ କଳା କୁଶଳତାରେ ରୁଦ୍ଧିମନ୍ତ କରି ଆସିଥିଲେ, ସେମାନଙ୍କ ମଧ୍ୟରେ କଥାଶିଳ୍ପୀ ସ୍ୱର୍ଗତ ଦେବରାଜ ସାହୁଙ୍କ ସ୍ଥାନ ବିଶେଷ ଭାବରେ ପ୍ରଣିଧାନଯୋଗ୍ୟ । ତାଙ୍କ ରଚିତ କ୍ଷୁଦ୍ରଗଳ୍ପରେ ମଣିଷ ଜୀବନର ସହଜ ସ୍ୱାଭାବିକ ଉପଲବ୍ଧି, ଆଖି ଦେଖା ଅଙ୍ଗେ ନିଭା ଦୃଶ୍ୟମୟ ଘଟଣା ଚମତ୍କାର ଭାବରେ କଥାରୂପ ପରିଗ୍ରହଣ କରିଛି ବୋଲି ସମକାଳର ଖ୍ୟାତିପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ବ୍ରହ୍ମପୁରର ସାରସ୍ୱତ ପୀଠ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ କଥାଶିଳ୍ପୀ ଦେବରାଜ ସାହୁ ସ୍ମୃତି ସମାରୋହରେ ବିଶିଷ୍ଟ କବି ଓ କଥାକାର ତଥା ଏଥେନା ବୁକ୍ସର ସ୍ୱତ୍ୱାଧିକାରୀ ରାଜକିଶୋର ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନର କ୍ଷୁଦ୍ରଗଳ୍ପ ଧାରା, ଓଡ଼ିଆ ଗଳ୍ପର ପରିବର୍ତ୍ତିତ ପ୍ରେକ୍ଷାପଟ ଓ ପ୍ରକାଶନ ଶିଳ୍ପ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମାରୋହରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ଓଡ଼ିଆ ଭାଷା-ସାହିତ୍ୟର ପ୍ରାକ୍ତନ ପ୍ରାଧ୍ୟାପକ ତଥା କଳିଙ୍ଗ ସାହିତ୍ୟ ସମାଜର କୋଷାଧ୍ୟକ୍ଷ ଡ. କୃଷ୍ଣପ୍ରସାଦ ମହାପାତ୍ର କହିଲେ, ଦେବରାଜ ସାହୁ କେବଳ ଜଣେ ସାଧାରଣ ଶିକ୍ଷକ ନ ଥିଲେ, ସେ ଥିଲେ ଏକ ବହୁମୁଖୀ ସାଂସ୍କୃତିକ ପ୍ରତିଭା । ତାଙ୍କ ରଚିତ ଗଳ୍ପ ସଂକଳନଗୁଡ଼ିକ ମଧ୍ୟରେ ‘ଜହ୍ନରାତି’, ‘ବାସବଦତ୍ତା ଓ ଅନ୍ୟମାନେ’, ‘ଅନ୍ଧକାରର ସ୍ପର୍ଶ’, ‘କେତେ ହସ କେତେ ରହସ୍ୟ’ ପ୍ରଭୃତି ଅନ୍ୟତମ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ଲେଖିଥିବା ‘ଖେଳନା’ ଶୀର୍ଷକ ପ୍ରଥମ ଗଳ୍ପରୁ କଥାଯାତ୍ରା ଆରମ୍ଭ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶତାଧିକ ଗଳ୍ପ ଲେଖି ସମକାଳର ଓଡ଼ିଆ ଗଳ୍ପ ସାହିତ୍ୟକୁ ଅନେକାଂଶରେ ପରିପୁଷ୍ଟ କରିଥିଲେ ବୋଲି ଡ. ମହାପାତ୍ର କହିଥିଲେ ।
କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହରେ ସୁଖ୍ୟାତ କଥାସର୍ଜକ ରମେଶ ପଟ୍ଟନାୟକଙ୍କୁ ପ୍ରଶସ୍ତିପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ‘ଗାଳ୍ପିକ ଦେବରାଜ ସାହୁ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।
ପ୍ରଥମେ ଡ. ହୃଷୀକେଶ ପଣ୍ଡା ପ୍ରାକ୍-ସୂଚନା ପ୍ରଦାନ କରିଥିବା ବେଳେ କଳିଙ୍ଗ ସାହିତ୍ୟ ସମାଜର ସଂପାଦକ ଡ. ଶରତ କୁମାର ଜେନା ସମାରୋହର ସଂଯୋଜନା କରିଥିଲେ । ଡ. କୁଳମଣି ଓଝା ପ୍ରାରମ୍ଭରେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପରିବେଶକୁ ଭବ୍ୟ ଓ ଭାକ୍ତିକ କରି ଦେଇଥିଲେ ଏବଂ ଅତିଥିଗଣ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାହିତ୍ୟ ସମାଜର ସାଂସ୍କୃତିକ ସମ୍ପାଦକ ଡ. ମନୋରଞ୍ଜନ ବିଷୋୟୀ ପ୍ରଶସ୍ତିପତ୍ର ପାଠ କରିଥିଲେ । ଏହି ଅବସରରେ ଡ. କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ଦ୍ୱାରା ଲିଖିତ ସ୍ମୃତି ପୁସ୍ତିକା ‘ଗାଳ୍ପିକ ଦେବରାଜ ସାହୁ’ ଲୋକାର୍ପିତ ହୋଇଥିବା ବେଳେ ଏଥେନା ବୁକ୍ସ ଦ୍ୱାରା ପ୍ରକାଶିତ ଦିବଂଗତ ଗାଳ୍ପିକ ଦେବରାଜ ସାହୁଙ୍କ ରଚିତ ଦୁଇଟି କ୍ଷୁଦ୍ରଗଳ୍ପ ସଂକଳନ ‘ଅନ୍ଧକାର ସ୍ପର୍ଶ’ ଓ ‘କେତେ ହସ କେତେ ରହସ୍ୟ’ର ପାଠକାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ସଂଚାଳନାରେ ଅନୁପ କୁମାର ମିଶ୍ର ଓ ନଳିନୀକାନ୍ତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କଳିଙ୍ଗ ସାହିତ୍ୟ ସମାଜ ଉପ ସଭାପତି ଡ. ବନମାଳୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବ୍ରହ୍ମପୁର ସହରର ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ଥିଲେ ।