କେଡିଏମଏଫ ପକ୍ଷରୁ ମୃତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ :ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ଏକ ସାଂଘାତିକ ଦୁର୍ଘଟଣାରେ ଶିକାର ହୋଇଥିବା ଫୁଲବାଣୀର ମୃତ ସାମ୍ବାଦିକ ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର ନିମନ୍ତେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଏ ଡି ଏମ ବସନ୍ତ ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ସାମ୍ବାଦିକ ବିକାଶ ମିଶ୍ର ଓ ବିକାଶ ଦିଗାଲ ଖବର ସଂଗ୍ରହ କରିବାକୁ ବାଇକରେ ଖଜୁରୀପଡା ଯାଉଥିବା ବେଳେ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ପିଟିବା ଫଳରେ ଦୁର୍ଘଟଣାଟି ଘଟିଥିଲା । ଘଟଣା ସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖଜୁରୀପଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଏମାନଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବିକାଶଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପୁଅ ବିକାଶର ଅକାଳ ବିୟୋଗ ପରେ ପରିବାରକୁ ଆର୍ଥିକ ଆବଶ୍ୟକତା ରହିଛି । ତେଣୁ କେଡିଏମଏଫ ପକ୍ଷରୁ ଏକ ସ୍ମାରକ ପତ୍ର ଜରିଆରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ନିମନ୍ତେ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେଡିଏମଏଫର ସଭାପତି ସୁନୀଲ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।

Comments (0)
Add Comment