ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡ଼ିଶା ତରଫରୁ ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମିତି ସଭ୍ୟାସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଲୋକ କଳା ବିକାଶ କେନ୍ଦ୍ରର ସଂପାଦିକା ପୁଷ୍ପିତା ପ୍ରଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ତାଲିମ ପ୍ରକଳ୍ପ ଅଧିକାରୀ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା, ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୀତାକାନ୍ତ ସାହୁ, ତାଲିମଦାତା ଭାବରେ ସୂର୍ଯ୍ୟମଣି ପଣ୍ଡା, ସନ୍ତୋଷ କୁମାର ପ୍ରଧାନ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ତିନିଦିନ ଧରି ତାଲିମଦାତା ଭାବରେ ଏମାନେ ତାଲିମ ପ୍ରଦାନ କରିବେ ।
ପ୍ରତିଭାଗି ଭାବରେ ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମିତି ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ । ତାଲିମ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା ମହୋଦୟା ତିନିଦିନିଆ ତାଲିମରେ କ’ଣ କ’ଣ ଶିକ୍ଷଣୀୟ ବିଷୟବସ୍ତୁ ରହିଛି ସେ ବିଷୟରେ ଜଣାଇଥିଲେ । ଆପଣ ମାନଙ୍କର ସହଯୋଗ କାର୍ଯ୍ୟଶୈଳୀ ଆଦର୍ଶ ପଞ୍ଚାୟତ ଗଠନରେ ସହାୟକ ହେବ । ତେଣୁ ଆପଣମାନେ ତିନିଦିନ ଧରି ଏହି କର୍ମଶାଳାରେ ଯୋଗୋଦାନ କରି ନିଜର ସୁଚିନ୍ତିତ ମତାମତ ରଖିବେ ବୋଲି ମତବ୍ୟକ୍ତ କରିଥିଲେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟ ବିଷୟରେ ଆମେ ଜାଣିବା ନିହାତି ଆବଶ୍ୟକ । ଯେହେତୁ ଆପଣ ମାନେ ଏବେ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ,ତେଣୁ ଏହି ତିନିଦିନରେ କର୍ମଶାଳା ଆପଣଙ୍କ କାର୍ଯ୍ୟ ରେ ନିହାତି ଆସିବ ଏବଂ ଆପଣଙ୍କ ପଞ୍ଚାୟତର ଉନ୍ନତି ନିଶ୍ଚିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ପରେ ତାଲିମଦାତା ନିଜର କ୍ଲାସ ଆରମ୍ଭ କରିଥିଲେ । ୫ଟି ସରକାର ଓ ମୋ ସରକାର ଜରିଆରେ କିଭଳି ଏକ ସଶକ୍ତ ପଞ୍ଚାୟତିରାଜ ଗଠନ ହୋଇପାରିବ ଏବଂ ସେଥିରେ ଜଣେ ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ଭାବେ ଆମର କ’ଣ ଭୂମିକା ରହିବ ସେ ବିଷୟରେ ଆଲୋଚନା କରିଥିଲେ । ୫ଟି ଯୋଗୁଁ କିଭଳି ସମସ୍ତ ତଥ୍ୟର ସ୍ୱଚ୍ଛତା ମିଳିପାରୁଛି ସେ ବିଷୟରେ ବୁଝାଇଥିଲେ । ପଂଚାୟତ ସମିତିର କାର୍ଯ୍ୟ, ସେଥିରେ ସମିତି ସଦସ୍ୟ ସଦସ୍ୟାଙ୍କର ଦାୟିତ୍ୱ ,ଭୂମିକା,ଆଇନଗତ ବ୍ୟବସ୍ଥା ବିଷୟରେ ମଧ୍ୟ ବୁଝାଇଥିଲେ । ଅଧକ୍ଷ, ଉପାଧ୍ୟକ୍ଷଙ୍କ କଣ କାର୍ଯ୍ୟ ରହିବ ଏବଂ ଆମେ ତାଙ୍କୁ କିଭଳି ସାହାଯ୍ୟ ସହଯୋଗ କରିବା ସେ ବିଷୟରେ ବୁଝାଇଥିଲେ । ସ୍ଥାୟୀ କମିଟିର କାର୍ଯ୍ୟ କ’ଣ କମିଟି କେମିତି ଗଠନ ହୋଇଥାଏ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ପଂଚାୟତ ସମିତିରେ ବୈଠକ କେମିତି ହୁଏ କେବେ ହେବା ଆବଶ୍ୟକ କିଏ ପ୍ରତିନିଧିତ୍ୱ କରିବେ, କ’ଣ ଆଲୋଚ୍ୟ ବିଷୟ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ମତବ୍ୟକ୍ତ କରିଥିଲେ ।