ସମିତିସଭ୍ୟମାନଙ୍କ ତିନିଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଜାଗୃତି ସଭାଗୃହ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡିଆର୍‌ଡିଏର ମିଳିତ ଆନୁକୂଲ୍ୟରେ ୩ଦିନ ଧରି ଚାଲିଥିବା ସମିତିସଭ୍ୟ ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୭ ରିଖ ଠାରୁ ୧୯ ତାରିଖ ଯାଏ ତିନି ଦିନ ଧରି ଦୁଇଟି ପଞ୍ଚାୟତ ସମିତି ଯଥା ଦାରିଙ୍ଗବାଡ଼ି ଓ ରାଇକିଆରୁ ୩୩ ଜଣ ସମିତି ସଭ୍ୟ,ସଭ୍ୟା ଆବାସିକ ତାଲିମରେ ଯୋଗଦେଇ ପ୍ରଶିକ୍ଷଣରେ ଭାଗ ନେଇଥିଲେ । ଉକ୍ତ ତାଲିମରେ ତାଲିମଦାତା ଭାବେ ନିରଞ୍ଜନ ବେହେରା ଏବଂ ଦେବେନ୍ଦ୍ର କୁମାର ପଣ୍ଡା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସ୍ୱୀକୃତି ପ୍ରାପ୍ତ ତାଲିମଦାତା ତିନି ଦିନ ଧରି ଏହି ତାଲିମକୁ ପରିଚାଳନା କରିଥିବା ଜଣାପଡ଼ିଛି । ଜାଗୃତି ଅନୁଷ୍ଠାନର ସମ୍ପାଦକ ତଥା କାର୍ଯ୍ୟକ୍ରମ ପରିଚାଳକ କୈଳାଶ ଚନ୍ଦ୍ର ଦଣ୍ଡପାଟ ତିନିଦିନିଆ ତାଲିମ ଉଦ୍ଦେଶ୍ୟ ଓ ଏହାକୁ କିପରି ସମସ୍ତଙ୍କ ସହଯୋଗରେ କରାଯିବ ଓ ପଞ୍ଚାୟତକୁ ଏକ ସଶକ୍ତ ପଞ୍ଚାୟତ ଓ ସଶକ୍ତ ଓଡିଶା ଗଠନ କରିବାରେ ସମିତିସଭ୍ୟଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ ।
ତାଲିମରେ ମୁଖ୍ୟ ବିଷୟ ବସ୍ତୁ ଗୁଡ଼ିକ ହେଲା ପଞ୍ଚାୟତିରାଜ ବ୍ୟବସ୍ଥା, ସଶକ୍ତ ଗ୍ରାମ ସଭା ଓ ପଲ୍ଲୀ ସଭା, ମୋ ସରକାର ୫-ଟି, ଗ୍ରାମ ପଞ୍ଚାୟତର ଆର୍ଥିକ ବ୍ୟବସ୍ଥା, ସ୍ଥାୟୀ କମିଟି, ଅର୍ଥ ଆୟୋଗ ଅନୁଦାନ, ଗ୍ରାମପଞ୍ଚାୟତ ବିକାଶ ଯୋଜନା ସହ ସରକାରଙ୍କ ୧୧ଟି ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ଆସି ବିଭିନ୍ନ ବିଭାଗର ଯୋଜନା, କାର୍ଯ୍ୟକ୍ରମ, ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ସମିତି ସଭ୍ୟଙ୍କ ସମନ୍ୱୟରେ କିପରି କାର୍ଯ୍ୟକ୍ରମ ଗୁଡିକ ପ୍ରସାର ହୋଇପାରିବ ପ୍ରଶିକ୍ଷଣ ଶିବିରରେ ଶିକ୍ଷା ଦିଆଯାଉଥିବା ଜାଗୃତି ସମ୍ପାଦକ ଶ୍ରୀ ଦଣ୍ଡପାଟ୍‌ କହିଛନ୍ତି ।
ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷା ନବିଶମାନେ ସୁଶ୍ରୀ ସନ୍ତୋଷ ଚୌଧୁରୀ, ବିନୟକାନ୍ତ, ଅଙ୍କିତ ଅଗ୍ରୱାଲ, ସୁଶ୍ରୀ ପ୍ରତିମା ଓ ଶ୍ରୀମତୀ ପୂଜା ସିଂହ, ତାଲିମାର୍ଥୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମର ଶେଷ ଦିନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ମନୋରଞ୍ଜନ ସାହୁ ଓ ମିଶନ ଶକ୍ତି କାର୍ଯ୍ୟକ୍ରମର ଜିଲା ସଂଯୋଜକ, ସୁନୀଲ କୁମାର ମଲ୍ଲିକ, ତାଲିମାର୍ଥୀ ମାନଙ୍କୁ ସ୍ୱାସ୍ଥ୍ୟ ଓ ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଯୋଜନା ଉପରେ ସୂଚନା ଦେଇଥିଲେ । କ୍ଷେତ୍ର ପରିଦର୍ଶନରେ ତାଲିମାର୍ଥୀମାନେ ଯାଇ, ଦାରିଙ୍ଗବାଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବୈଦ୍ୟୁତିକ ମାଧ୍ୟମରେ ଶିକ୍ଷାଦାନ ତଥା ଶିକ୍ଷା କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ ବିଷୟରେ ଜାଣିଥିଲେ । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ରଜତ ବିକ୍ରମ ପ୍ରଧାନ, ତାଲିମାର୍ଥୀମାନଙ୍କୁ ବିଦ୍ୟାଳୟର ବିଭିନ୍ନ ବିଭାଗ ବୁଲାଇ ଦେଖାଇବା ସହ ସମସ୍ତ ବିଷୟ ବୁଝାଇ ଦେଇଥିଲେ ।

Comments (0)
Add Comment