ନନ୍ଦଗିରି ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ରହିଥିବା କଳିଙ୍ଗା ଗ୍ରାମ ପଞ୍ଚାୟତର ନନ୍ଦଗିରି ଗ୍ରାମରେ ଆଜି ଆଦର୍ଶ ଗ୍ରାମ ଗଠନ ଉଦ୍ଦେଶ୍ୟରେ ନନ୍ଦଗିରୀ ମହିଳା ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସ୍ଥାନୀୟ ଅଞ୍ଚଳକୁ ସ୍ୱଚ୍ଛ, ନିର୍ମଳ ଏବଂ ଦୁର୍ନୀତି ମୁକ୍ତ ଆଦର୍ଶ ଗ୍ରାମ ଗଠନ ହୋଇପାରିବ ସେଥିନିମନ୍ତେ ପ୍ରୟାସ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର୍‌ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଅଞ୍ଚଳରେ ଯେପରି ନିଶା ମୁକ୍ତ ହେବ ଓ ସମସ୍ତ ମହିଳାମାନେ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେବେ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସମସ୍ତଙ୍କ ଘରେ ଶୌଚାଳୟ ନିର୍ମାଣ କରି ବ୍ୟବହାର କରିବା, ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକ ସଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ବିଷୟରେ ମତ ରଖିଥିଲେ । ସ୍ଥାନୀୟ ଅଞ୍ଚଳରେ ଯେଉଁମାନଙ୍କ ପାଇଁ ଶୌଚାଳୟ ନାହିଁ ଯଥା ଶୀଘ୍ର ଶୌଚାଳୟ ତିଆରି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବକ୍ସି ମଲ୍ଲିକ ମଧ୍ୟ ନିଶା ମୁକ୍ତ ସମାଜ ଗଠନ କରିବା ବିଷୟରେ ମତ ପ୍ରକାଶ କରିଥିଲେ । ଅଞ୍ଚଳରେ ଯେପରି ବାଲ୍ୟ ବିବାହ, ଶିଶୁ ଶ୍ରମିକ,ନିଶା ମୁକ୍ତ, ସ୍ୱଚ୍ଛତା ରଖିବା, ବାହ୍ୟ ମଳ ମୁକ୍ତ ଅଞ୍ଚଳ ଗଠନ କରିବା ବିଷୟରେ ସଚେତନ କରିବା ପାଇଁ ସମସ୍ତ ଅତିଥି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଓ ଏଲଏମ୍‌ବିପିଏମ୍‌ ଅକ୍ଷୟ କୁମାର ପ୍ରଧାନ, ବିଏଲ୍‌ଏଫ୍‌ କୁମୁଦିନୀ ଦିଗାଲ, ଜିପିଏଲ ଏଫ୍‌ ସଭାପତି ଭାରତୀ ପ୍ରଧାନ, ସମ୍ପାଦିକା ନିଳୀମା ଦିଗାଲ, ୱାର୍ଡ ମେମ୍ବର ବର୍ଷା ନାୟକ, ସମାଜସେବୀ ଆମନ ଚନ୍ଦ୍ର ନାୟକ ଏବଂ ସିଆର୍‌ସିଏମ୍‌ କଳିଙ୍ଗା ପଞ୍ଚାୟତ ପକ୍ଷରୁ ଉପସ୍ଥିତ ରହିଥିବା ବେଳେ ସଞ୍ଜୀବ ଦିଗାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଞ୍ଚଳର ଅନେକ ମହିଳାମାନେ ଯୋଗ ଦେଇଥିଲେ ।

Comments (0)
Add Comment