ପୁରୀ:ଅବଢା ପେଜରୁ ବାହାରିବ ବିଶୁଦ୍ଧ ଜଳ । ଏହି ଜଳ ବୃକ୍ଷରୋପଣରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ । ଫଳରେ ପେଜ ପାଇଁ ପରିବେଶ ଉପରେ ପଡୁଥିବା କୁ-ପ୍ରଭାବର ମାତ୍ରା ହ୍ରାସ ପାଇବ । ଏଭଳି କିଛି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ଏକ ପେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣ ପାଇଁ ଯୋଜନା କରାଯାଇଛି । ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁଥିବା ପେଜ ଏହି ପ୍ଲାଂଟରେ ବିଶୋଧିତ ହେବ । ଟ୍ରିଟମେଂଟ ପ୍ଲାଂଟରେ କେତେକ ପ୍ରକ୍ରିୟା ମାଧ୍ୟମରେ ପେଜକୁ ବିଶୁଦ୍ଧ ଜଳରେ ପରିଣତ କରାଯିବ । ଏହି ପ୍ରକଳ୍ପ ପାଇଁ ପାଖାପାଖି ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ତ୍ତମାନ ଏହି ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ୨ରୁ ୩ ମାସ ମଧ୍ୟରେ ଏହି ପ୍ଲାଂଟ ସ୍ଥାପନ ନେଇ ଲକ୍ଷ୍ୟ ରଖାଯାଇଛି । ଦକ୍ଷୀଣ ପାଶ୍ୱର୍ ମଠ ପଛ ପାଖରେ ଏହା ପ୍ରତିଷ୍ଠା କରାଯିବ ।