ଚରଦା ମନ୍ଦିରର ଚୋରୀ ରହସ୍ୟ ଖୋଲିବ କେବେ?

ସୁବର୍ଣ୍ଣପୁର: ବିନିକା ବ୍ଲକ ଅନ୍ତର୍ଗତ ଐତିହାସିକ ପୀଠ ଚରଦାର ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରୁ ବାରମ୍ବାର ଚୋରୀ ହେଉଥିବାରୁ ପୋଲିସର ତଦନ୍ତ ନେଇ ସନ୍ଦେହ ପ୍ରକାଶ ପାଇଛି । ଚରଦା ଗ୍ରାମରେ ଐତିହାସିକ ଶ୍ରୀଶ୍ରୀ କପିଳେଶ୍ୱରଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିର ପୁରୀ ଗଜପତି ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଐତିହାସିକମାନେ ମତ ଦିଅନ୍ତି । ଏହି କପିଳେଶ୍ୱର ମନ୍ଦିରରୁ ଦୁଇ ଥର ଚୋରୀ ହୋଇଥିଲେ ହେଁ ଅଦ୍ୟାବଧି ଚୋର ମାନେ ଧରାପଡି ନାହାନ୍ତି । ଏପରିକି ଚୋରୀ ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ । ଫଳରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଐତିହାସିକ ପୀଠ ବାବା କପିଳେଶ୍ୱର ଓ ମାଁ ଚରଦେଇ ଦେବୀଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ମନ୍ଦିର ଉତ୍ସବ ମୁଖର ହୋଇଥାଏ । ଅଞ୍ଚଳବାସୀଙ୍କ ଭାବାବେଗ ସହ ଜଡିତ ଏହି ମନ୍ଦିରରୁ ଗତ ଅକ୍ଟୋବର ମାସ ୨୨ ତାରିଖ ବିଳମ୍ବିତ ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ମନ୍ଦିର ଭିତରକୁ ପ୍ରବେଶ କରି ସିଂହ ଦ୍ୱାର, ବାବା କପିଳେଶ୍ୱର ଓ ମାଁ ଚରଦେଇଙ୍କ ମନ୍ଦିର ସମ୍ମୁଖରେ ଥିବା ଦାନ ବାକ୍ସକୁ ଭାଙ୍ଗି ଭକ୍ତଙ୍କ ଦାନ ଟଙ୍କା ନେଇଯାଇଛନ୍ତି । ଚୋରୀ ହେବାର ଇତି ମଧ୍ୟରେ ଅନେକ ଦିନ ବିତି ଯାଇଛି । ଏପରିକି ଏହି ମନ୍ଦିର ଭିତରେ ଲାଗିଥିବା ସିସି ଟିଭି ଫୁଟେଜ ପୋଲିସକୁ ଦିଆଯାଇଥିଲେ ମଧ୍ୟ ଚୋର ଧରିବାରେ ପୋଲିସ ବିଫଳ ହୋଇଛି । ସେହିପରି ଗତ ୨୦୨୧ ମସିହା ଡିସେମ୍ବର ମାସରେ ଏହି ମନ୍ଦିରରୁ ସୁନା, ରୁପା ଅଳଙ୍କାର ଓ ଦାନ ବାକ୍ସ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରୀ ହୋଇଥିଲେ ହେଁ, ଆଜି ପର୍ଯ୍ୟନ୍ତ ଚୋରୀ ସାମଗ୍ରୀ ମିଳିବା ତ ଦୂରର କଥା ଏଥିରେ ସମ୍ପୃକ୍ତ ଚୋର ମାନେ ମଧ୍ୟ ଗିରଫ ହୋଇନାହାନ୍ତି । ଯାହାଫଳରେ ପୋଲିସର କାର୍ଯ୍ୟକଳାପ ଓ ତଦନ୍ତ ପ୍ରକ୍ରିୟା ଉପରେ ଆଞ୍ଚଳିକ ଟ୍ରଷ୍ଟ ବୋର୍ଡ କମିଟି, ମନ୍ଦିର ସେବାୟତ ଓ ଅଂଚଳବାସୀଙ୍କ ତରଫରୁ ସନ୍ଦେହ ପ୍ରକାଶ ପାଇବା ସହିତ ପୋଲିସ ଉପରେ ରହିଥିବା ଭରସା ଓ ବିଶ୍ୱାସ ସମ୍ପୂର୍ଣ୍ଣ ତୁଟିବାକୁ ବସିଲାଣି । ଏ ସମ୍ପର୍କରେ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିର ମ୍ୟାନେଜିଙ୍ଗ ଟ୍ରଷ୍ଟିର ସଭାପତି ଅଶୋକ କୁମାର ପୃଷ୍ଟି ଗତ ୩୧.୧୦.୨୨ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉକ୍ତ ଚୋରୀ ଘଟଣା ଉପରେ ବିହିତ ପଦକ୍ଷେପ ନେବା ସହ ଚୋର ମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଚୋରୀ ସାମଗ୍ରୀ ଉଦ୍ଧାର କରାଯାଉ । ଏହା ନ ହେଲେ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଏହି ଦାବିପତ୍ରରେ ଜଣାଇ ଦେଇଛନ୍ତି ।

Comments (0)
Add Comment