ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ଏପର୍ଯ୍ୟନ୍ତ ଗିରଫ ହେଲେଣି ୩୨ ଜଣ

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଗତ ସୋମବାର ଦିନ ସତ୍ୟାଗ୍ରହ ଆନ୍ଦୋଳନ ଉଗ୍ର ଓ ହିଂସ୍ର ରୂପ ଧାରଣ କରିବା ପରଠାରୁ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସେଦିନ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ କିଛି ଲୋକେ ଆଗପଛ ବିଚାର ନକରି ଜିଲ୍ଲା ଅଦାଲତ ପରିସରକୁ ଧସେଇ ପଶିଥିଲେ । ସେମାନଙ୍କ ଜିଲ୍ଲା ଜଜଙ୍କ ସହିତ ଆଉ କିଛି ଜଜଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅଦାଲତ ପରିସରରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହି ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ପୁଲିସ ମୋଟ ୩୨ ଜଣଙ୍କୁ ଗିରଫ କରିଛି, ଏଥିରେ ସେହି ଦିନ ରାତିରେ ପୁଲିସ ୯ ଜଣଙ୍କୁ ଗିରଫ କରିବା ସହ ପରବର୍ତ୍ତୀ ମଙ୍ଗଳବାର ଦିନ ୧୫ ଜଣଙ୍କୁ ଓ ବାକି ୮ ଜଣଙ୍କୁ ଆଜି ଗିରଫ କରିଛି । ଏବିଷୟରେ ସଦର ଏସଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଏମାନଙ୍କ ମଧ୍ୟରେ ଜଣେ କୋର୍ଟ କର୍ମଚାରୀ ଓ ୮ ଜଣ କିନ୍ନର ସାମିଲ ରହିଥିବା ସ୍ଥଳେ ବାକି ସମସ୍ତେ ଜିଲ୍ଲା ଓକିଲ ସଂଘର ସଦସ୍ୟ ରହିଛନ୍ତି । ଆଜି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଜିଲ୍ଲା ଅଦାଲତ ପରିସରକୁ ସଶସ୍ତ୍ର ପୁଲିସ ବଳ ଘେରି ରଖିଛନ୍ତି ଓ ଜୋର୍ଟ ଖୋଲା ରହିଥିବା ସତ୍ତେ୍ୱ ଜନସାଧାରଣ ସେଠାକୁ ଯିବାର ସାହସ କରୁନାହାନ୍ତି ।

Comments (0)
Add Comment