ଦଶପଲ୍ଲା : ଆଉ ନାହାଁନ୍ତି ନୟାଗଡ଼ ଜିଲ୍ଲାରେ ହିଲ୍ ମ୍ୟାନ୍ ଭାବରେ ପରିଚିତ ହରି ବେହେରା । ଦିନଥିଲା ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ । ପ୍ରଶାସନ ଯାହା କରିପାରିନଥିଲା ତାହାକରି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ । ଦିନରାତି ଏକ କରି ଗାଁକୁ ନିତିଦିନିଆ ବାଟ ଫିଟାଇଥିଲେ ହରି । ବିଶାଳ ମୁଗୁନି ପଥର ପାହାଡ଼କୁ ନିହାଣ ମୁନରେ କାଟି ପ୍ରଶାସନର ଆଖିଖୋଲି ଦେଇଥିଲେ । ଆମେ କହୁଛୁ ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ତୁଲୁବି ଗାଁର ହରି ବେହେରାଙ୍କ କଥା । ଯେଉଁ ବ୍ୟକ୍ତି ୨୫ ବର୍ଷ ଲଢେଇ କରି ଗ୍ରାମକୁ ରାସ୍ତା ଫିଟାଇଥୁଲା ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରି ଗତକାଲି ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ୫୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ, ତୁଲୁବି ଗ୍ରାମର ହରି ବେହେରା ( ୫୨ ) ୧୯୭୦ ମସିହାରେ ନିପଟ ଆଦିବାସୀ ଗାଁରେ ଜନ୍ମଗ୍ରହଣ କରିଥିଲେ । ଗାଁକୁ ରାସ୍ତା ପାଇଁ ତୁଲୁବି ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି କରାଯାଇଥିଲା । ଏମିତିକି ତତ୍କାଳୀନ ବିଧାୟକଙ୍କୁ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବିକରି ନିରାଶ ହୋଇଥିଲେ । ଆଦିବାସୀ ଲୋକମାନେ ଜଙ୍ଗଲ ମଧ୍ୟଦେଇ ଚଲାବାଟରେ ଯିବାଆସିବା କରୁଥିବା ବେଳେ ଘରକୁ ସମ୍ପର୍କୀୟ ଆସିବାକୁ ହେଲେ ଜଙ୍ଗଲିଆ ରାସ୍ତାରେ ଆସୁଥିଲେ ନଚେତ୍ ଅଧାରାସ୍ତାରୁ ଫେରିଯାଉଥିଲେ । ଏହା ଦେଖୁ ହରି ବେହେରା ୧୬ ବର୍ଷ ବୟସରେ ରାସ୍ତା ତିଆରି କରିବାକୁ ସଂକଳ୍ପ ନେଇ ହାତରେ ହାତୁଡ଼ି, ନିହଣଧରି ପାହାଡ଼ ଭାଙ୍ଗିବାରେ ମନ ବଳାଇଥିଲେ । ତାଙ୍କ ବଡ଼ଭାଇ କୃଷ୍ଣବେହେରା ମଧ୍ୟ ହରିଙ୍କୁ ସହଯୋଗ କରିଥିଲେ । ଦୁଇଭାଇ ଦିନରାତି ଏକକରି ୨୫ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ୧ କିଲୋମିଟର ପାହାଡ଼ଭାଙ୍ଗି ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଥିଲେ । ତାଙ୍କର ସଫଳତା ପରେ ପ୍ରଶାସନ ଗାଁକୁ ମାଟିପକାଇ ରାସ୍ତାନିର୍ମାଣ କରିଥିବା ଜଣାପଡ଼ିଛି । ୧୦ବର୍ଷ ପୂର୍ବେ ବଡ଼ଭାଇ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ଗତ ୩ ବର୍ଷ ତଳେ ହରି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ । ଚିକିତ୍ସା ପାଇଁ ସେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ନୟାଗଡ଼ ମେଡିକାଲକୁ ଯାଇଥିବା ବେଳେ ଅର୍ଥ ଅଭାବରୁ ଫେରି ଆସିଥିଲେ । ତାଙ୍କର ବାମପଟ କିଡ଼ନୀ ନଷ୍ଟ ହୋଇଥିବା ଡାକ୍ତର କହିଥିବା ବେଳେ ହରି ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହୋଇଥିବାବେଳେ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ସେ ଘରେ ପଡ଼ି ରହିଥିଲେ । ଗତ ୧୫ ଦିନ ହେବ ସେ ସମ୍ପୂର୍ଣ୍ଣ ଶର୍ଯ୍ୟାଶାୟୀ ହେବା ସହ କଥାବାର୍ତ୍ତା ବନ୍ଦକରିବା ଖାଦ୍ୟ ଗ୍ରହଣ ବନ୍ଦ କରିଥିଲେ । ଗତକାଲି ସଂଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ହରିଙ୍କ ମୃତ୍ୟୁ ପରେ ତାଙ୍କର ଦୁଇପତ୍ନୀ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ପ୍ରଥମ ପତ୍ନୀ କାଦମ୍ବିନୀଙ୍କ କୌଣସି ସନ୍ତାନ ଜନ୍ମ ନହେବାରୁ ସେ ପାର୍ବତୀ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ଏକ ପୁତ୍ର ସନ୍ତାନ ରହିଛି । ହରିଙ୍କ ବିୟୋଗରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ , ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ , ଉପାଧ୍ୟକ୍ଷା ମୀରା ନାୟକ , ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ , ସରପଞ୍ଚ ସୁନିତା ବାରିକ ଶୋକ ପ୍ରକାଶ କରିବା ସହ ହରିଙ୍କ ବିୟୋଗ ଅଞ୍ଚଳବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି କହିଥିଲେ । ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହିତ ମରଣୋତ୍ତର ଭାବରେ ହିଲ୍ ମ୍ୟାନ୍ ସମ୍ମାନ ରେ ସମ୍ମାନିତ କରିବାକୁ ସର୍ବସାଧାରଣରେ ଦାବୀ ହେଉଛି ।