ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଗାଁ ମଣ୍ଡିରେ ଉଠୁନି ଧାନ, ବସ୍ତା ରଖି ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜଟାବାଲ ପଞ୍ଚାୟତ ଅଧୀନରେ ଥିବା ଜାମ୍ୱଗୁଡ଼ା ଗାଁରେ ଚାଲୁ ଥିବା ଧାନମଣ୍ଡି ଏବେ ଅଚଳବସ୍ଥାରେ । ଦୁଇ ଦିନ ହେବ ଚାଷୀଙ୍କ ଧାନପଡି ରହିଛି । ସୂଚନା ଅନୁସାରେ ୩୭୯୯.୫୧ କେ.ଜି ଧାନ ଗୁରୁବାର ଦିନ ଉଠିବାର ଥିଲା । ଦୁଇ ଦିନ ବିତିଗଲା ପରେବି ଶୁକ୍ରବାର ଦିନ ଧାନ ଉଠି ନଥିଲା । ଏହା ସହିତ କ୍ୟୁଣ୍ଟାଲ ପ୍ରତି ୪ ରୁ ୫ କେ.ଜି କାଟି ଥିବାରୁ ଏହାର ପ୍ରତିବାଦ କରି ଶହଶହ ଚାଷୀ ରାସ୍ତାରୋକ କରିଥିଲେ । ମିଲରଙ୍କ ପ୍ରତିଶୃତି ପରେ ବି ରାସ୍ତାରୁ ଉଠି ନଥିଲେ ଚାଷୀ । ସୂଚନା ଅନୁଯାୟୀ ଜାମ୍ବଗୁଡ଼ା ଧାନମଣ୍ଡିରେ ମାଁ ବୃନ୍ଦାବତୀ ଏସଏସଜି ଧାନ କିଣୁଥିଲା, କିନ୍ତୁ ତାଙ୍କର ଟାର୍ଗେଟ ପୂରଣ ହୋଇଯିବାରୁ ଧାନକିଣା ବନ୍ଦ କରିଦେଇଥିବାରୁ ଦୁଇ ଦିନ ହେବ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି । ତେଣୁ ଏହାକୁ ପ୍ରତିବାଦ କରି ଆଜି ଚାଷୀମାନେ ପାପଡାହାଣ୍ଡି ଏବଂ ଡାବୁଗାଁ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ଗାଡି ମଟର ବସ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଏହା ପରେ ପାପଡ଼ାହାଣ୍ଡି ତହସିଲଦାର ସେହି ସ୍ଥାନରେ ପହଞ୍ଚି ଚାଷୀଙ୍କୁ ବୁଝାମଣା କରିବା ପରେ ରାସ୍ତାରୁ ଚାଷୀ ହଟିଲେ । ଏହି ସମସ୍ୟାର ସମାଧାନ ତୁରନ୍ତ ନ ହେଲେ ପୁଣି ଅନ୍ଦୋଳନ କରିବେ ବୋଲି ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି ।

Comments (0)
Add Comment