ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ଓ କଳା ଉତ୍ସବ

ଫୁଲବାଣୀ : ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଏବିଇଓ ଅମୂଲ୍ୟ କୁମାର ଜେନା ଉପସ୍ଥିତ ଥାଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସୁରଭି ଓ କଳା ଉତ୍ସବରେ ମୋଟ ୨୭ଟି ଇଭେଣ୍ଟକୁ ନେଇ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତା ଗୁଡିକ ଥିଲା ବକ୍ତୃତା, କୁଇଜ୍‌, ଚିତ୍ରାଙ୍କନ, ଗୀତ, ସୃଜନ ଶିଳ ଲିଖନ, ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ଚିତ୍ର କଳା, ଶିଳ୍ପକଳା ଏହିଭଳି ବହୁ ପ୍ରତିଯୋଗିତା ହୋଇଥିଲା । ଏହା ସହିତ କଳା ଉତ୍ସବରେ ଲୋକନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ବ୍ଳକ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ସୁରଭି ଓ କଳା ଉତ୍ସବ ମାଧ୍ୟମରେ ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ସମସ୍ତଙ୍କ ଆଗରେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଫୁଲବାଣୀ ପୌର ପରିଷଦର ସିଆରସିସି ସରିତା ମହାରଣାଙ୍କ ସମେତ ଅନ୍ୟ ସିଆରସିସି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହ ତିନି ପିଲାଙ୍କ ସମେତ ତାଙ୍କର ଅଭିଭାବକ ଓ ଗାଇଡ ଶିକ୍ଷକ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସୁରଭୀରୁ ସତର ଜଣ କଳା ଉତ୍ସବରୁ ଦଶ ଜଣ ଜିଲ୍ଳା ସ୍ତରରେ ସୁରଭୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି ।

Comments (0)
Add Comment