ଧ୍ୱଂସହେବାକୁ ବସିଲାଣି ଦଶପଲ୍ଲାର ଶାଳ ଜଙ୍ଗଲ

ଦଶପଲ୍ଲା : କଥା କଥାରେ ରହିଛି ଦଶପଲ୍ଲାର ଘୋର୍‌ ଜଂଗଲ । ବଣ ଜଙ୍ଗଲ ଘେରା ଦଶପଲ୍ଲା ବନାଂଚଳ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି । କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲର, ମୂଲ୍ୟବାନ ଗଛ ଉପରେ କ୍ରମାଗତ ପଡି ଚାଲିଛି । ଯାହାର ଫଳ ସ୍ୱରୂପ ମାଫିଆମାନେ ଗଛସବୁ କାଟି ଖୁଣ୍ଟା ଛାଡିଯାଇଛନ୍ତି । ଜିଲ୍ଲା ବାହାରକୁ ଧାରାବାହିକ ଭାବରେ ଚାଲିଛି ବେଆଇନ୍‌ କାଠ ଚାଲାଣ । ଦଶପଲ୍ଲା ବନାଂଚଳର ଟାକରା, ବାଣୀଗୋଛା, ଘୁଗୁଡିପଡା, ସାକେଣୀ, ଚଢେୟାପଲ୍ଲୀ ଭଳି ବିଭିନ୍ନ ଫରେଷ୍ଟ ସେକ୍ସନ୍‌ ଅଂଚଳରୁ ପ୍ରତିଦିନ ଟ୍ରିପ୍‌ ଟ୍ରିପ୍‌ ଚୋରା କାଠ ଚାଲାଣ ହେଉଥିବାବେଳେ ବନବିଭାଗ କଦବା କେମିତି, ଲୋକ ଦେଖାଣିଆଁ ଭାବରେ କାଠମାଫିଆଙ୍କ ଉପରେ ଚଢାଉ କରୁଥିଲେ ମଧ୍ୟ ତାହା କୌଣସି ପ୍ରଭାବ ପକାଇ ପାରୁନଥିବା ଦେଖିବାକୁ ମିଳୁଛି ।

ବନବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଉପରେ ସାଧାରଣରେ ସନ୍ଦେହ ମଧ୍ୟ ସୃଷ୍ଟି ହେଉଛି । ଜୀବନ ଥିଲେ ମଧ୍ୟ ପ୍ରତିବାଦ କରିବାର କ୍ଷମତା ନଥିବାରୁ ଏସବୁ ମୂଲ୍ୟବାନ ଗଛମାନେ ମଥାପାତି ଜୀବନ ଉତ୍ସର୍ଗ କରୁଛନ୍ତି । କ୍ଷତିଗ୍ରସ୍ତ ଶାଳବଣକୁ ଦେଖି ବରିଷ୍ଠ ନାଗରିକମାନେ ପୂର୍ବ ଅବସ୍ଥା ମନେପକାଇ କେବଳ ବ୍ୟବସ୍ଥାକୁ ଦାୟୀ କରୁଥିବାବେଳେ ବନବିଭାଗ କେବେ ତତ୍ପରତା ଦେଖାଇ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରି ଅବଶିଷ୍ଟ ବୃକ୍ଷରାଜିକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବ ତାହାହିଁ ମୁଖ୍ୟ ପ୍ରସଂଗ ହୋଇ ପଡିଛି ।

Comments (0)
Add Comment